Text copied!
Bibles in Odia

ଯୋହନ 7:1-14 in Odia

Help us?

ଯୋହନ 7:1-14 in ଓଡିଆ ବାଇବେଲ

1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ ।
2 କିନ୍ତୁ ଯିହୂଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହି ସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦା ପ୍ରଦେଶକୁ ଯାଅ,
4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ । ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର ।
5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ ।
6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ ।
7 ଜଗତ ତୁମ୍ଭମାନଙ୍କୁ ଘୃଣା କରି ପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି ।
8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ ।
9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ ।
10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ ପ୍ରକାର ଗୋପନରେ ।
11 ଏଣୁ ଯିହୂଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ ?
12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି ।
13 ତଥାପି ଯିହୂଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ ।
14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ ।
ଯୋହନ 7 in ଓଡିଆ ବାଇବେଲ