Text copied!
Bibles in Odia

ଯୋହନ 6:51-67 in Odia

Help us?

ଯୋହନ 6:51-67 in ଓଡିଆ ବାଇବେଲ

51 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି ।
52 ଏଥିରେ ଯିହୂଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ ?
53 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ ।
54 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।
55 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ ।
56 ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ ।
57 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ' ହେତୁ ଜୀବିତ ରହିବ ।
58 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ ।
59 ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ ।
60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ ?
61 କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, ଏହା କ'ଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି ?
62 ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କ'ଣ ?
63 ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ ।
64 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାଁନ୍ତି । କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ ।
65 ଆଉ ସେ କହିଲେ, ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋ' ନିକଟକୁ ଆସି ପାରେ ନାହିଁ ।
66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ ।
67 ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମ୍ଭେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ ?
ଯୋହନ 6 in ଓଡିଆ ବାଇବେଲ