Text copied!
Bibles in Odia

ଯୋହନ 6:21-35 in Odia

Help us?

ଯୋହନ 6:21-35 in ଓଡିଆ ବାଇବେଲ

21 ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା ।
22 ସେ ସ୍ଥାନରେ ଗୋଟିଏ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ ।
23 ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା;
24 ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାଁନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସବୁ ନୌକାରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ ।
25 ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ ?
26 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ ।
27 କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ୱର ମୁଦ୍ରାଙ୍କିତ କଲେ ।
28 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ୱରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କ'ଣ କରିବାକୁ ହେବ?
29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ ।
30 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନ ସ୍ୱରୂପ କ'ଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରି ପାରୁ ?
31 ଆପଣ କ'ଣ ସାଧନ କରୁଅଛନ୍ତି ? ଆମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ ।
32 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାଁନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି;
33 କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ୱରଦତ୍ତ ଆହାର ।
34 ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ ।
35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ ।
ଯୋହନ 6 in ଓଡିଆ ବାଇବେଲ