Text copied!
Bibles in Odia

ଯୋହନ 4:5-33 in Odia

Help us?

ଯୋହନ 4:5-33 in ଓଡିଆ ବାଇବେଲ

5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ;
6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା । ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ । ସେତେବେଳେ ମଧ୍ୟାହ୍ନ ହୋଇଥିଲା ।
7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା । ଯୀଶୁ ତାହାକୁ କହିଲେ, ମୋତେ ପିଇବାକୁ ଦିଅ ।
8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ ।
9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୂଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋ' ହାତରୁ ପିଇବାକୁ ମାଗୁଅଛନ୍ତି ? କାରଣ ଶମିରୋଣୀୟମାନଙ୍କ ସହିତ ଯିହୂଦୀମାନଙ୍କର ବ୍ୟବହାର ନାହିଁ ।
10 ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ ।
11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି ?
12 ଆମ୍ଭମାନଙ୍କର ଯେଉଁ ପିତୃପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ ?
13 ଯୀଶୁ ତାହାକୁ ଉତ୍ତର ଦେଲେ, ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ;
14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ ।
15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥି ନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ ।
16 ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ ।
17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋର ସ୍ୱାମୀ ନାହିଁ । ଯୀଶୁ ତାଙ୍କୁ କହିଲେ, ମୋହର ସ୍ୱାମୀ ନାହିଁ, ଏହା ତ ଠିକ‍ କହିଲ;
18 କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ ।
19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି ।
20 ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମରେ ଅଛି ।
21 ଯୀଶୁ ତାହାକୁ କହିଲେ, ଆଗୋ ନାରୀ, ମୋ' କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି ।
22 ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ ।
23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି ।
24 ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ ।
25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ ।
26 ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ ।
27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କ'ଣ ଚାହାଁନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ ।
28 ସେଥିରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
29 ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା ?
30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ ।
31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହେଉନ୍ତୁ ।
32 କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି ।
33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା ?
ଯୋହନ 4 in ଓଡିଆ ବାଇବେଲ