Text copied!
Bibles in Odia

ଯୋହନ 20:19-30 in Odia

Help us?

ଯୋହନ 20:19-30 in ଓଡିଆ ବାଇବେଲ

19 ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୂଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ ।
20 ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ । ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ ।
21 ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି ।
22 ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର ।
23 ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ ।
24 କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ ।
25 ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ ।
26 ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ ।
27 ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ ।
28 ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର ।
29 ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ ।
30 ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ;
ଯୋହନ 20 in ଓଡିଆ ବାଇବେଲ