1 ମାତ୍ର ଇସ୍ରାଏଲ ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କଲେ; କାରଣ ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍ ବର୍ଜିତ ବସ୍ତୁରୁ କିଛି ହରଣ କଲା; ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
2 ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ଵସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, ଉଠ, ଯାଇ ଦେଶ ଅନୁସନ୍ଧାନ କର; ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।
3 ଏଉତ୍ତାରେ ସେମାନେ ଯିହୋଶୂୟଙ୍କ ନିକଟକୁ ଫେରି ଆସି ତାଙ୍କୁ କହିଲେ, ସମସ୍ତ ଲୋକ ନ ଯାଉନ୍ତୁ; କେବଳ ଦୁଇ ତିନି ସହସ୍ର ଲୋକ ଯାଇ ଅୟ ନଗର ପରାସ୍ତ କରନ୍ତୁ; ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପ ମାତ୍ର।
4 ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ସହସ୍ର ସେଠାକୁ ଗଲେ, ମାତ୍ର ସେମାନେ ଅୟ ନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ।
5 ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା।
6 ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।