Text copied!
Bibles in Odia

ଯିଶାଇୟ 1:10-28 in Odia

Help us?

ଯିଶାଇୟ 1:10-28 in ଓଡିଆ ବାଇବେଲ

10 ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର।
11 ସଦାପ୍ରଭୁ କହନ୍ତି, “ଆମ୍ଭ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ଅପାର ବଳିଦାନର ଅଭିପ୍ରାୟ କଅଣ ?” “ଆମ୍ଭେ ମେଷଗଣର ହୋମବଳିରେ ଓ ପୁଷ୍ଟ ପଶୁଗଣର ମେଦରେ ପୂର୍ଣ୍ଣ ହୋଇଅଛୁ; ପୁଣି, ବୃଷ କିମ୍ବା ମେଷ କିମ୍ବା ଛାଗଳମାନଙ୍କ ରକ୍ତରେ ଆମ୍ଭର ତୁଷ୍ଟି ନାହିଁ।
12 ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବା ବେଳେ ଆମ୍ଭର ପ୍ରାଙ୍ଗଣସକଳ ପଦ ତଳେ ଦଳିବା ପାଇଁ କିଏ ତୁମ୍ଭମାନଙ୍କଠାରୁ ଚାହିଁଅଛି ?
13 ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ; ତୁମ୍ଭର ଅମାବାସ୍ୟା ଓ ବିଶ୍ରାମବାର, ସଭାର ଘୋଷଣା ଏହି ଅଧର୍ମ ଓ ମହାସଭା ଆମ୍ଭେ ସହି ପାରୁ ନାହୁଁ।
14 ଆମ୍ଭ ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବସବୁ ଘୃଣା କରେ; ସେହିସବୁ ଆମ୍ଭ ପ୍ରତି କ୍ଲେଶକର; ଆମ୍ଭେ ସେହିସବୁ ବହିବାକୁ କ୍ଳାନ୍ତ ହୋଇଅଛୁ।
15 ପୁଣି, ତୁମ୍ଭେମାନେ ଆପଣାମାନଙ୍କର ହସ୍ତ ପ୍ରସାର କଲା ବେଳେ ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା; ଆହୁରି, ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ। ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ।
16 ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;
17 ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟ ବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର।”
18 ସଦାପ୍ରଭୁ କହନ୍ତି, ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେହିସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ।
19 ଯଦି ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ।
20 ମାତ୍ର ଯଦି ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ୍ଗଭୁକ୍ତ ହେବ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।
21 ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି ! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।
22 ତୁମ୍ଭର ରୂପା ଖାଦ ହୋଇଅଛି, ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି।
23 ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା; ପ୍ରତ୍ୟେକେ ଲାଞ୍ଚ ଭଲ ପା’ନ୍ତି ଓ ପାରିତୋଷିକର ପଶ୍ଚାଦ୍‍ବର୍ତ୍ତୀ ହୁଅନ୍ତି; ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ।
24 ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ବଳଦାତା କହନ୍ତି, ଶୁଣ, ଆମ୍ଭେ ଆପଣା ବିପକ୍ଷଗଣ ବିଷୟରେ ଆରାମ ପାଇବା ଓ ଆମ୍ଭେ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା;
25 ପୁଣି, ଆମ୍ଭେ ତୁମ୍ଭଆଡ଼େ ଆପଣା ହସ୍ତ ଫେରାଇ ତୁମ୍ଭର ଖାଦ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ଓ ତୁମ୍ଭର ସୀସାସବୁ କାଢ଼ି ନେବା;
26 ଆଉ, ଆମ୍ଭେ ପୂର୍ବ କାଳ ପରି ତୁମ୍ଭର ବିଚାରକର୍ତ୍ତୃଗଣଙ୍କୁ ଓ ଆଦ୍ୟ ସମୟ ପରି ତୁମ୍ଭ ମନ୍ତ୍ରୀଗଣଙ୍କୁ ପୁନଃସ୍ଥାପନ କରିବା; ତହିଁ ଉତ୍ତାରୁ ତୁମ୍ଭେ ଧର୍ମପୁରୀ, ବିଶ୍ୱସ୍ତ ନଗରୀ ବୋଲି ବିଖ୍ୟାତ ହେବ।
27 ସିୟୋନ ନ୍ୟାୟବିଚାର ଦ୍ୱାରା ଓ ତାହାର ଫେରି ଆସିବା ଲୋକମାନେ ଧାର୍ମିକତା ଦ୍ୱାରା ମୁକ୍ତି ପାଇବେ।
28 ମାତ୍ର ଅଧର୍ମାଚାରୀ ଓ ପାପୀମାନେ ଏକତ୍ର ବିନଷ୍ଟ ହେବେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ସଂହାରିତ ହେବେ।
ଯିଶାଇୟ 1 in ଓଡିଆ ବାଇବେଲ