12 ପୁଣି, ପ୍ରମେହୀ ଯେଉଁ ମୃତ୍ତିକାପାତ୍ର ଛୁଇଁବ, ତାହା ଭଙ୍ଗାଯିବ ଓ ସମସ୍ତ କାଷ୍ଠ ପାତ୍ର ଜଳରେ ଧୁଆଯିବ।
13 ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।
14 ପୁଣି, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆସି ଯାଜକର ହସ୍ତରେ ସେମାନଙ୍କୁ ସମର୍ପଣ କରିବ।
15 ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମ ବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ତାହାର ପ୍ରମେହ ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
16 ଆଉ, ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ଆପଣା ସମସ୍ତ ଶରୀର ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
17 ଆଉ, ଯେଉଁ ପ୍ରତ୍ୟେକ ବସ୍ତ୍ରରେ କି ଚର୍ମରେ ବୀର୍ଯ୍ୟପାତ ହୁଏ, ତାହା ଜଳରେ ଧୋଇବ ଓ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
18 ମଧ୍ୟ ସେ ସ୍ତ୍ରୀ, ଯାହା ସଙ୍ଗେ ସ୍ଖଳିତ ବୀର୍ଯ୍ୟ ପୁରୁଷ ଶୟନ କରିବ, ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।
19 ଆଉ, ଯଦି ସ୍ତ୍ରୀ ରଜସ୍ୱଳା ହୁଏ ଓ ତାହାର ଦେହରୁ ରକ୍ତ ଝରେ, ତେବେ ସେ ସାତଦିନ ଆପଣା ଅଶୁଚିତାରେ ରହିବ; ପୁଣି, ଯେକେହି ତାହାକୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।