Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:34-55 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:34-55 in ଓଡିଆ ବାଇବେଲ

34 “ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ ତୁମ୍ଭେମାନେ ପ୍ରବେଶ କଲେ, ଯେବେ ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶର କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ;
35 ତେବେ ସେହି ଗୃହସ୍ୱାମୀ ଯାଜକ ନିକଟକୁ ଆସି କହିବ, ଯଥା, ମୋ’ ଗୃହରେ ଦାଗ ଥିଲା ପରି ମୋତେ ଦେଖାଯାଉଅଛି;
36 ତହୁଁ ଗୃହର ସମସ୍ତ ଦ୍ରବ୍ୟ ଯେପରି ଅଶୁଚି ନ ହୁଏ, ଏଥିପାଇଁ ଯାଜକ ଦାଗ ଦେଖିବାକୁ ପ୍ରବେଶ କରିବା ପୂର୍ବେ ଗୃହ ଶୂନ୍ୟ କରିବାକୁ ଯାଜକ ଆଜ୍ଞା ଦେବ; ତହିଁ ଉତ୍ତାରୁ ଯାଜକ ଗୃହ ଦେଖିବାକୁ ପ୍ରବେଶ କରିବ।
37 ପୁଣି, ସେ ସେହି ଦାଗ ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହର କାନ୍ଥରେ ଟୋଲାପୋଲା ହୋଇ ବସିଯାଇ ଅଳ୍ପ ଶାଗୁଆ ବର୍ଣ୍ଣ ବା ରକ୍ତ ବର୍ଣ୍ଣ ହୋଇଥାଏ, ପୁଣି ତାହା କାନ୍ଥର ନୀଚସ୍ଥ ଦେଖାଯାଏ,
38 ତେବେ ଯାଜକ ଗୃହରୁ ବାହାର ହୋଇ ଦ୍ୱାର ନିକଟକୁ ଯିବ ଓ ସେହି ଗୃହକୁ ସାତ ଦିନ ବନ୍ଦ କରି ରଖିବ।
39 ପୁଣି, ଯାଜକ ସପ୍ତମ ଦିନରେ ପୁନର୍ବାର ଆସି ଦେଖିବ; ପୁଣି ପ୍ରକୃତରେ, ଯଦି ଗୃହର କାନ୍ଥରେ ସେହି ଦାଗ ବଢ଼ିଥାଏ,
40 ତେବେ ଯାଜକ ଦାଗଯୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ।
41 ପୁଣି, ସେ ସେହି ଗୃହର ଭିତର ଚାରିଆଡ଼େ ଚଞ୍ଛାଇବ ଓ ସେହି ଚଞ୍ଛା ଧୂଳି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବ।
42 ଆଉ, ସେମାନେ ଅନ୍ୟ ପ୍ରସ୍ତର ନେଇ ସେହି ପ୍ରସ୍ତର ସ୍ଥାନରେ ବସାଇବେ ଓ ଅନ୍ୟ ଲେପ ନେଇ ଗୃହ ଲେପନ କରିବେ।
43 ଆଉ, ସେହି ପ୍ରସ୍ତର ବଦଳ କଲା ଉତ୍ତାରେ ଓ ଗୃହ ଚାଞ୍ଛିଲା ଉତ୍ତାରେ ଓ ଲେପନ କଲା ଉତ୍ତାରେ ଯେବେ ସେହି ଦାଗ ପୁନର୍ବାର ଗୃହରେ ଫୁଟି ବାହାରେ,
44 ତେବେ ଯାଜକ ଆସି ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହରେ ବୃଦ୍ଧି ପାଇଥାଏ, ତେବେ ସେହି ଗୃହରେ କ୍ଷୟ କୁଷ୍ଠରୋଗ ଅଛି; ତାହା ଅଶୁଚି ଅଟେ।
45 ତହିଁରେ ସେ ସେହି ଗୃହ ଭାଙ୍ଗି ପକାଇବ, ତହିଁର ପ୍ରସ୍ତର ଓ କାଷ୍ଠ ଓ ଧୂଳିସବୁ ନଗରର ବାହାରେ ଅଶୁଚି ସ୍ଥାନକୁ ବୋହି ନେଇଯିବ।
46 ଆହୁରି, ସେହି ଗୃହ ବନ୍ଦ ହୋଇଥିବା ସମୟରେ ଯେକେହି ତହିଁ ଭିତରକୁ ଯାଏ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହୋଇ ରହିବ।
47 ପୁଣି, ଯେ ସେହି ଗୃହରେ ଶୟନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସେହି ଘରେ ଯେ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ।
48 ଆଉ, ଯାଜକ ଆସି ଦେଖନ୍ତେ, ଯଦି, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଅଦୃଶ୍ୟ ହୋଇଅଛି।
49 ତହୁଁ ସେ ସେହି ଗୃହକୁ ଶୁଚି କରିବା ପାଇଁ ଦୁଇ ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବ;
50 ପୁଣି, ମୃତ୍ତିକା ପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକୁ ବଧ କରିବ;
51 ତହୁଁ ସେ ସେହି ଏରସ କାଠ, ଏସୋବ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଜୀଅନ୍ତା ପକ୍ଷୀକୁ ନେଇ ହତ ପକ୍ଷୀର ରକ୍ତରେ ଓ ସେହି ସ୍ରୋତଜଳରେ ଡୁବାଇବ ଓ ସେହି ଗୃହରେ ସାତ ଥର ଛିଞ୍ଚିବ।
52 ଏହି ପ୍ରକାରେ ପକ୍ଷୀର ରକ୍ତ ଦ୍ୱାରା, ସ୍ରୋତଜଳ ଦ୍ୱାରା, ଜୀଅନ୍ତା ପକ୍ଷୀ ଦ୍ୱାରା, ଏରସ କାଠ ଦ୍ୱାରା, ଏସୋବ ଦ୍ୱାରା ଓ ସିନ୍ଦୂର ବର୍ଣ୍ଣ (ଲୋମ) ଦ୍ୱାରା ସେହି ଗୃହକୁ ଶୁଚି କରିବ।
53 ମାତ୍ର ସେ ଜୀଅନ୍ତା ପକ୍ଷୀକୁ ନଗରର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ; ଏହିରୂପେ ସେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ତାହା ଶୁଚି ହେବ।
54 କୁଷ୍ଠରୋଗର ସର୍ବପ୍ରକାର ଘାଆ ଓ ଛଉର ଏହି ବ୍ୟବସ୍ଥା;
55 ପୁଣି, ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠରୋଗ;
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14 in ଓଡିଆ ବାଇବେଲ