Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11:27-38 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11:27-38 in ଓଡିଆ ବାଇବେଲ

27 ପୁଣି ଚାରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାରେ ଚାଲନ୍ତି, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
28 ପୁଣି, ଯେକେହି ସେମାନଙ୍କର ଶବ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
29 ଆଉ, ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସବୁ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ଖୋଲେଦ (ଗୋଧି) ଓ ମୂଷା; ପୁଣି, ଆପଣା ଆପଣା ଜାତି ଅନୁସାରେ ବଡ଼ ଏଣ୍ଡୁଅ;
30 ଆଉ, ଏଣ୍ଡୁଅ ଓ ସ୍ଥଳ କୁମ୍ଭୀର, ଝିଟିପିଟି, ବାଲିଏଣ୍ଡୁଅ ଓ ବହୁରୂପୀ (ପୋହଳା ଏଣ୍ଡୁଅ)।
31 ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ସେମାନେ ମଲେ ଯେକେହି ସେମାନଙ୍କୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
32 ସେମାନଙ୍କ ମଧ୍ୟରୁ କୌଣସି ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ, ତାହା ଅଶୁଚି ହେବ; କାଠ ପାତ୍ର, ବସ୍ତ୍ର, ଚର୍ମ କି ଅଖା, ଯେକୌଣସି କର୍ମଯୋଗ୍ୟ ପାତ୍ର ଉପରେ ପଡ଼ିଲେ, ତାହା ଜଳରେ ଡୁବାଯିବ, ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ତାହା ଶୁଚି ହେବ।
33 ପୁଣି, କୌଣସି ମାଟି ପାତ୍ର ମଧ୍ୟରେ ସେମାନଙ୍କର ଶବ ପଡ଼ିଲେ, ତହିଁ ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟ ଅଶୁଚି ହେବ ଓ ତୁମ୍ଭେମାନେ ତାହା ଭାଙ୍ଗି ପକାଇବ।
34 ପୁଣି, ଯେଉଁ ସବୁ ଖାଦ୍ୟଦ୍ରବ୍ୟ ଉପରେ ଜଳ ଥାଏ, ତାହା ଅଶୁଚି ହେବ; ପୁଣି, ସର୍ବପ୍ରକାର ପାତ୍ରରେ ସର୍ବପ୍ରକାର ପେୟଦ୍ରବ୍ୟ ଅଶୁଚି ହେବ;
35 ପୁଣି, ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କ ଶବର କିଛି ପଡ଼େ, ତାହା ଅଶୁଚି ହେବ; ତନ୍ଦୁର ହେଉ କି ଚୁଲି ହେଉ, ତାହା ଭଙ୍ଗାଯିବ; ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
36 ତଥାପି ନିର୍ଝର କିଅବା ଯେଉଁ କୂପରେ ଅନେକ ଜଳ ଥାଏ, ତାହା ଶୁଚି ହେବ; ମାତ୍ର ଯେ ସେମାନଙ୍କର ଶବ ଛୁଇଁବ, ସେ ଅଶୁଚି ହେବ।
37 ପୁଣି, ଯେଉଁ ବିହନ ବୁଣା ଯିବାକୁ ଅଛି, ତହିଁ ଉପରେ ଯେବେ ସେମାନଙ୍କ ଶବର କିଛି ପଡ଼େ, ତେବେ ତାହା ଶୁଚି ରହିବ।
38 ମାତ୍ର ବିହନ ଉପରେ ଜଳ ଥିଲେ, ଯେବେ ସେମାନଙ୍କ ଶବର କିଛି ତହିଁ ଉପରେ ପଡ଼େ, ତେବେ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11 in ଓଡିଆ ବାଇବେଲ