12 ତହିଁରେ ବିଲୀୟମ୍ ବାଲାକଙ୍କୁ କହିଲା, “ମୋ’ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ, ସେମାନଙ୍କୁ ମୁଁ କ’ଣ କହି ନାହିଁ ?”
13 ଯଦିଓ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ; ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।
14 ଏବେ ଦେଖ, ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି; ଆସ, ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା କରିବେ, ତାହା ମୁଁ ତୁମ୍ଭକୁ ଜ୍ଞାତ କରାଇବି।
15 ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି;
16 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବୋପରିସ୍ଥଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି;
17 ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି; ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି; ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୋୟାବର ପାର୍ଶ୍ୱ ଭେଦ କରିବ ଓ ଶେଥର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ।
18 ପୁଣି, ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ, ଏପରି ସେୟୀର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ।