Text copied!
Bibles in Odia

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:7-17 in Odia

Help us?

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:7-17 in ଓଡିଆ ବାଇବେଲ

7 ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ଡ ହେବ।”
8 ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ଆହୁରି ଆମ୍ଭେ, ଦେଖ, ଆମ୍ଭେ ଆପଣା ଉତ୍ତୋଳନୀୟ ଉପହାର, ଅର୍ଥାତ୍‍, ଇସ୍ରାଏଲ ସନ୍ତାନଗଣର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭଙ୍କୁ ଦେଲୁ, ତୁମ୍ଭର ଅଭିଷେକ ସକାଶୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହାସବୁ ଦେଲୁ।
9 ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହାସବୁ ତୁମ୍ଭର ହେବ; ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର, ଅର୍ଥାତ୍‍, ସେମାନଙ୍କର ପ୍ରତ୍ୟେକ ଭକ୍ଷ୍ୟ-ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ।
10 ତୁମ୍ଭେ ତାହା ମହାପବିତ୍ର ଦ୍ରବ୍ୟ ଭାବି ତହିଁରୁ ଭୋଜନ କରିବ; ପ୍ରତ୍ୟେକ ପୁରୁଷ ତହିଁରୁ ଭୋଜନ କରିବ; ତାହା ତୁମ୍ଭ ପ୍ରତି ପବିତ୍ର ହେବ।
11 ଆଉ ଏହା ତୁମ୍ଭର ଅଟେ; ଅର୍ଥାତ୍‍, ଇସ୍ରାଏଲ ସନ୍ତାନଗଣଙ୍କର ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର; ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତାହାସବୁ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ।
12 ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ସମସ୍ତ ଉତ୍ତମ ତୈଳ ଓ ସମସ୍ତ ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ, ଯେଉଁ ଯେଉଁ ପ୍ରଥମଜାତ ଫଳ ଉତ୍ସର୍ଗ କରିବେ, ତାହାସବୁ ଆମ୍ଭେ ତୁମ୍ଭକୁ ଦେଲୁ।
13 ସେମାନେ ଆପଣା ଆପଣା ଭୂମିରୁ ଉତ୍ପନ୍ନ ଯେଉଁ ସବୁ ପ୍ରଥମ ପକ୍ୱ ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହିସବୁ ତୁମ୍ଭର ହେବ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ।
14 ଇସ୍ରାଏଲ ମଧ୍ୟରେ ସମସ୍ତ ଉତ୍ସର୍ଗୀକୃତ ବସ୍ତୁ ସବୁ ତୁମ୍ଭର ହେବ।
15 ସେମାନେ ମନୁଷ୍ୟ କିମ୍ବା ପଶୁମାନଙ୍କ ମଧ୍ୟରୁ ଯେଉଁ ସମସ୍ତ ପ୍ରଥମଜାତ ଗର୍ଭର ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହି ସମସ୍ତ ତୁମ୍ଭର ହେବ; ତଥାପି ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଅବଶ୍ୟ ମୁକ୍ତ କରିବ, ପୁଣି, ତୁମ୍ଭେ ଅଶୁଚି ପଶୁର ପ୍ରଥମଜାତକୁ ମୁକ୍ତ କରିବ।
16 ପୁଣି, ଯେଉଁମାନେ ଏକ ମାସ ବୟସ୍କ ଅବଧି ମୁକ୍ତ କରାଯିବେ, ସେହି ସମସ୍ତଙ୍କୁ ତୁମ୍ଭର ନିରୂପଣୀୟ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।
17 ମାତ୍ର ତୁମ୍ଭେ ଗୋରୁର ପ୍ରଥମଜାତକୁ ଅବା ମେଷର ପ୍ରଥମଜାତକୁ ଅବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ, ସେମାନେ ପବିତ୍ର; ତୁମ୍ଭେ ବେଦି ଉପରେ ସେମାନଙ୍କର ରକ୍ତ ସେଚନ କରିବ, ପୁଣି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ସେମାନଙ୍କର ମେଦ ଦଗ୍ଧ କରିବ।
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18 in ଓଡିଆ ବାଇବେଲ