Text copied!
Bibles in Odia

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:12-32 in Odia

Help us?

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:12-32 in ଓଡିଆ ବାଇବେଲ

12 ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ସମସ୍ତ ଉତ୍ତମ ତୈଳ ଓ ସମସ୍ତ ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ, ଯେଉଁ ଯେଉଁ ପ୍ରଥମଜାତ ଫଳ ଉତ୍ସର୍ଗ କରିବେ, ତାହାସବୁ ଆମ୍ଭେ ତୁମ୍ଭକୁ ଦେଲୁ।
13 ସେମାନେ ଆପଣା ଆପଣା ଭୂମିରୁ ଉତ୍ପନ୍ନ ଯେଉଁ ସବୁ ପ୍ରଥମ ପକ୍ୱ ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହିସବୁ ତୁମ୍ଭର ହେବ; ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ।
14 ଇସ୍ରାଏଲ ମଧ୍ୟରେ ସମସ୍ତ ଉତ୍ସର୍ଗୀକୃତ ବସ୍ତୁ ସବୁ ତୁମ୍ଭର ହେବ।
15 ସେମାନେ ମନୁଷ୍ୟ କିମ୍ବା ପଶୁମାନଙ୍କ ମଧ୍ୟରୁ ଯେଉଁ ସମସ୍ତ ପ୍ରଥମଜାତ ଗର୍ଭର ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହି ସମସ୍ତ ତୁମ୍ଭର ହେବ; ତଥାପି ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଅବଶ୍ୟ ମୁକ୍ତ କରିବ, ପୁଣି, ତୁମ୍ଭେ ଅଶୁଚି ପଶୁର ପ୍ରଥମଜାତକୁ ମୁକ୍ତ କରିବ।
16 ପୁଣି, ଯେଉଁମାନେ ଏକ ମାସ ବୟସ୍କ ଅବଧି ମୁକ୍ତ କରାଯିବେ, ସେହି ସମସ୍ତଙ୍କୁ ତୁମ୍ଭର ନିରୂପଣୀୟ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।
17 ମାତ୍ର ତୁମ୍ଭେ ଗୋରୁର ପ୍ରଥମଜାତକୁ ଅବା ମେଷର ପ୍ରଥମଜାତକୁ ଅବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ, ସେମାନେ ପବିତ୍ର; ତୁମ୍ଭେ ବେଦି ଉପରେ ସେମାନଙ୍କର ରକ୍ତ ସେଚନ କରିବ, ପୁଣି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ସେମାନଙ୍କର ମେଦ ଦଗ୍ଧ କରିବ।
18 ଆଉ ସେମାନଙ୍କର ମାଂସ ତୁମ୍ଭର ହେବ, ଯେପରି ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ସେପରି ତାହା ତୁମ୍ଭର ହେବ।
19 ଇସ୍ରାଏଲ ସନ୍ତାନଗଣ ଯେଉଁ ସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ।”
20 ଆହୁରି ସଦାପ୍ରଭୁ ହାରୋଣଙ୍କୁ କହିଲେ, “ସେମାନଙ୍କ ଭୂମିରେ ତୁମ୍ଭର କୌଣସି ଅଧିକାର ରହିବ ନାହିଁ; ଓ ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ବାଣ୍ଟ ରହିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଆମ୍ଭେ ହିଁ ତୁମ୍ଭର ବାଣ୍ଟ ଓ ତୁମ୍ଭର ଅଧିକାର।
21 ଆଉ ଦେଖ, ଲେବୀ-ସନ୍ତାନଗଣ ଯେଉଁ ସେବାକାର୍ଯ୍ୟ କରନ୍ତି, ସମାଗମ-ତମ୍ବୁ ସମ୍ବନ୍ଧୀୟ ସେମାନଙ୍କ ସେହି ସେବାକାର୍ଯ୍ୟର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ।
22 ଆଉ ଇସ୍ରାଏଲ-ସନ୍ତାନଗଣଙ୍କ ପାପ ବୋହି ଯେପରି ନ ମରନ୍ତି, ଏଥିପାଇଁ, ଏହି ସମୟଠାରୁ ସେମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ।
23 ମାତ୍ର ଲେବୀୟମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବୋହିବେ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମସ୍ଥାୟୀ ଅନନ୍ତକାଳୀନ ବିଧି, ପୁଣି, ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ।
24 କାରଣ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି, ତାହା ଆମ୍ଭେ ଲେବୀୟମାନଙ୍କୁ ଅଧିକାରାର୍ଥେ ଦେଲୁ; ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ।”
25 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
26 “ଆହୁରି ତୁମ୍ଭେ ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲ-ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେଉଁ ସମୟରେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେହି ସମୟରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ।
27 ତୁମ୍ଭମାନଙ୍କ ଏହି ଉତ୍ତୋଳନୀୟ ଉପହାର ଖଳାର ଶସ୍ୟ ତୁଲ୍ୟ ଓ ଦ୍ରାକ୍ଷାଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କ ପକ୍ଷରେ ଗଣାଯିବ।
28 ଏହିରୂପେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣଙ୍କଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ; ପୁଣି, ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର ହାରୋଣ ଯାଜକକୁ ଦେବ।
29 ତୁମ୍ଭମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନୀୟ ଉପହାର, ଅର୍ଥାତ୍‍, ତହିଁର ସମସ୍ତ ଉତ୍ତମ ଦ୍ରବ୍ୟରୁ ତହିଁର ପବିତ୍ର ଅଂଶ ଉତ୍ସର୍ଗ କରିବ।
30 ଏହେତୁ ତୁମ୍ଭେ ସେମାନଙ୍କୁ କହିବ, ତୁମ୍ଭେମାନେ ଯେଉଁ ସମୟରେ ତହିଁରୁ ଉତ୍ତମ ଦ୍ରବ୍ୟ ଉତ୍ତୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ସେହି ସମୟରେ ତାହା ଲେବୀୟମାନଙ୍କ ପକ୍ଷରେ ଖଳାରୁ ଉତ୍ପନ୍ନ ଦ୍ରବ୍ୟ ଓ ଦ୍ରାକ୍ଷାଯନ୍ତ୍ରରୁ ଉତ୍ପନ୍ନ ଦ୍ରବ୍ୟ ବୋଲି ଗଣାଯିବ।
31 ପୁଣି, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିଜନଗଣ ସବୁ ସ୍ଥାନରେ ତାହା ଭୋଜନ କରିବ; କାରଣ ତାହା ସମାଗମ-ତମ୍ବୁରେ କୃତ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପରିଶୋଧରେ ତୁମ୍ଭମାନଙ୍କର ପୁରସ୍କାର ଅଟେ।
32 ଆଉ ତହିଁରୁ ସେହି ଉତ୍ତମ ଦ୍ରବ୍ୟ ଉପହାର ରୂପେ ଉତ୍ସର୍ଗ କଲେ, ତୁମ୍ଭେମାନେ ତଦ୍ଦ୍ୱାରା ଘଟିତ କୌଣସି ପାପ ବୋହିବ ନାହିଁ; ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ଇସ୍ରାଏଲ ସନ୍ତାନଗଣର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ।”
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18 in ଓଡିଆ ବାଇବେଲ