Text copied!
Bibles in Odia

ମାର୍କ 6:9-53 in Odia

Help us?

ମାର୍କ 6:9-53 in ଓଡିଆ ବାଇବେଲ

9 କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ ।
10 ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ ।
11 ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ ।
12 ସେଥିରେ ସେମାନେ ପ୍ରସ୍ଥାନ କରି ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,
13 ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ ।
14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି ।
15 କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲିୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ ।
16 କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି ।
17 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ ।
18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ ।
19 ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ;
20 କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ ।
21 ପରେ ସୁଯୋଗର ଦିନ ଉପସ୍ଥିତ ହେଲା । ହେରୋଦ ଆପଣା ଜନ୍ମ ଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
22 ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା ।
23 ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା ।
24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି ? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ ।
25 ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ ।
26 ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ ।
27 ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା ।
29 ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ ।
30 ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହି ସବୁ ତାହାଙ୍କୁ ଜଣାଇଲେ ।
31 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର । କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା ।
32 ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ ।
33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ ।
34 ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ ।
35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥି ନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ ।
37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କ'ଣ ଯାଇ ଶହେ ଟଙ୍କାର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା ?
38 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ଯାଇ ଦେଖ । ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚଟି, ପୁଣି, ଦୁଇଟି ମାଛ ।
39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ ।
40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ ।
41 ପରେ ଯୀଶୁ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ । ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ ।
42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ,
43 ଆଉ ସେମାନେ ଭଙ୍ଗା ରୁଟି ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ ।
44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ ।
45 ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍‌ସାଇଦା ଆଡ଼କୁ ଅପର ପାରିକି ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ ।
46 ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ ।
47 ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ ।
48 ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ ।
49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
50 କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍‍ବିଗ୍ନ ହୋଇଥିଲେ । ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, ସାହସ ଧର, ଏ ତ ମୁଁ , ଭୟ କର ନାହିଁ ।
51 ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ବିତ ହେଲେ,
52 କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା ।
53 ସେମାନେ ପାର ହୋଇ ଗିନ୍ନେସରତ୍ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ ।
ମାର୍କ 6 in ଓଡିଆ ବାଇବେଲ