Text copied!
Bibles in Odia

ବିଚାରକର୍ତ୍ତା 20:4-34 in Odia

Help us?

ବିଚାରକର୍ତ୍ତା 20:4-34 in ଓଡିଆ ବାଇବେଲ

4 ତହିଁରେ ସେହି ହତ ସ୍ତ୍ରୀର ଲେବୀୟ ଉପପତି ଉତ୍ତର ଦେଇ କହିଲା, ମୁଁ ଓ ମୋର ଉପପତ୍ନୀ ରାତ୍ରିକ୍ଷେପଣ ନିମନ୍ତେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଥିଲୁ।
5 ପୁଣି ଗିବୀୟାର ଲୋକମାନେ ମୋ’ ବିରୁଦ୍ଧରେ ଉଠି ରାତ୍ରିରେ ଗୃହ ଚତୁର୍ଦ୍ଦିଗରେ ମୋତେ ଘେରିଲେ; ମୋତେ ସେମାନେ ବଧ କରିବାକୁ ବିଚାର କଲେ, ପୁଣି ମୋର ଉପପତ୍ନୀକୁ ବଳାତ୍କାର କଲେ, ତହିଁରେ ସେ ମଲା।
6 ତହୁଁ ମୁଁ ନିଜ ଉପପତ୍ନୀକୁ ନେଇ ଖଣ୍ଡ ଖଣ୍ଡ କରି ଇସ୍ରାଏଲର ଅଧିକାରସ୍ଥ ପ୍ରଦେଶର ସର୍ବତ୍ର ପଠାଇଲି; କାରଣ ସେମାନେ ଇସ୍ରାଏଲ ମଧ୍ୟରେ ଦୁଷ୍ଟତା ଓ ମୂଢ଼ତାର କର୍ମ କରିଅଛନ୍ତି।
7 ଦେଖ, ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେ ସମସ୍ତେ ଏ ବିଷୟରେ ଆପଣା ଆପଣା ମତ ଓ ମନ୍ତ୍ରଣା ଦିଅ।
8 ତହିଁରେ ସମସ୍ତେ ଏକ ଲୋକ ପରି ଉଠି କହିଲେ, ଆମ୍ଭେମାନେ କେହି ଆପଣା ତମ୍ବୁକୁ ଯିବୁ ନାହିଁ, କିଅବା ଆମ୍ଭେମାନେ କେହି ଆପଣା ଘରକୁ ଫେରିବୁ ନାହିଁ।
9 ମାତ୍ର ଗିବୀୟା ପ୍ରତି ଏବେ ଆମ୍ଭେମାନେ ଏହି କଥା କରିବୁ; ଗୁଲିବାଣ୍ଟ କ୍ରମେ ତାହା ବିରୁଦ୍ଧରେ ଯିବୁ;
10 ପୁଣି ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଶହକେ ଦଶ ଜଣ, ହଜାରକେ ଏକ ଶହ ଜଣ, ଦଶ ହଜାରରେ ଏକ ହଜାର ଜଣ ଲେଖାଏଁ ନେବୁ, ତହିଁରେ ଲୋକମାନେ ବିନ୍ୟାମୀନ୍‍ର ଅଧିକାରସ୍ଥ ଗିବୀୟାକୁ ଆସିଲେ, ସେମାନେ ଇସ୍ରାଏଲ ମଧ୍ୟରେ ଯେସମସ୍ତ ମୂଢ଼ତାର କର୍ମ କରିଅଛନ୍ତି, ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ।
11 ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ।
12 ଏଥିଉତ୍ତାରେ ଇସ୍ରାଏଲ ବଂଶ ବିନ୍ୟାମୀନ୍‍ର ସମୁଦାୟ ବଂଶ ନିକଟକୁ ଲୋକ ପଠାଇ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଅଛି ?
13 ଏବେ ତୁମ୍ଭେମାନେ ସେହି ଗିବୀୟାର ଦୁଷ୍ଟ ଲୋକମାନଙ୍କୁ ସମର୍ପଣ କର, ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା। ମାତ୍ର ବିନ୍ୟାମୀନ୍ ଆପଣା ଭ୍ରାତା ଇସ୍ରାଏଲ ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ।
14 ପୁଣି ଇସ୍ରାଏଲ ସନ୍ତାନଗଣ ସଙ୍ଗେ ଯୁଦ୍ଧ କରିବା ପାଇଁ ବିନ୍ୟାମୀନ୍-ସନ୍ତାନଗଣ ନଗରମାନରୁ ବାହାରି ଗିବୀୟାକୁ ଯାଇ ଏକତ୍ରିତ ହେଲେ।
15 ସେହିଦିନ ନଗରମାନରୁ ଆସିଥିବା ବିନ୍ୟାମୀନ୍ ସନ୍ତାନଗଣର ଛବିଶ ହଜାର ଖଡ୍ଗଧାରୀ ଲୋକ ଗଣିତ ହେଲେ, ଏହାଛଡ଼ା ଗିବୀୟା ନିବାସୀ ଲୋକମାନଙ୍କର ସାତ ଶହ ବଛା ଲୋକ ଗଣିତ ହେଲେ।
16 ଏହି ଲୋକସମୂହ ମଧ୍ୟରେ ସାତ ଶହ ବଛା ଲୋକ ବାଁହାତିଆ ଥିଲେ; ସେମାନେ ପ୍ରତ୍ୟେକେ ବଣା ନୋହି ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣୀ ମାରି ପାରନ୍ତି।
17 ବିନ୍ୟାମୀନ୍ ଛଡ଼ା ଇସ୍ରାଏଲର ଖଡ୍ଗଧାରୀ ଚାରି ଲକ୍ଷ ଲୋକ ଗଣିତ ହେଲେ; ଏସମସ୍ତେ ଯୋଦ୍ଧା।
18 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଉଠି ବେଥେଲ୍‍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ ? ସଦାପ୍ରଭୁ କହିଲେ, ଯିହୁଦା ପ୍ରଥମେ ଯିବ।
19 ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରଭାତରେ ଉଠି ଗିବୀୟା ବିରୁଦ୍ଧରେ ଛାଉଣି ସ୍ଥାପନ କଲେ।
20 ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ ଓ ଇସ୍ରାଏଲୀୟ ଲୋକମାନେ ଗିବୀୟା ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ।
21 ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ଗିବୀୟାରୁ ବାହାରି ସେହିଦିନ ଇସ୍ରାଏଲ ମଧ୍ୟରୁ ବାଇଶ ହଜାର ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ।
22 ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ, ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ।
23 ପୁଣି ଇସ୍ରାଏଲ ସନ୍ତାନଗଣ ଉଠି ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା ? ତହିଁରେ ସଦାପ୍ରଭୁ କହିଲେ, ତାହା ବିରୁଦ୍ଧରେ ଯାଅ।
24 ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମୀନ୍ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ।
25 ପୁଣି ବିନ୍ୟାମୀନ୍ ସେହି ଦ୍ୱିତୀୟ ଦିନ ସେମାନଙ୍କ ବିରୁଦ୍ଧରେ ଗିବୀୟାରୁ ବାହାରି ଇସ୍ରାଏଲ ସନ୍ତାନଗଣର ଅଠର ହଜାର ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
26 ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବେଥେଲ୍‍କୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
27 ସେହି ସମୟରେ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ସେଠାରେ ଥିଲା, ପୁଣି ହାରୋଣର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା।
28 ଏହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେହେଁ କି ପୁନର୍ବାର ଯିବା, ଅବା କ୍ଷାନ୍ତ ହେବା ? ସଦାପ୍ରଭୁ କହିଲେ, ଯାଅ; ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା।
29 ତହୁଁ ଇସ୍ରାଏଲ ଗିବୀୟାର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା।
30 ଏଥିଉତ୍ତାରେ ତୃତୀୟ ଦିନ ଇସ୍ରାଏଲ ସନ୍ତାନଗଣ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଉଠି ଗଲେ ଓ ପୂର୍ବ ପରି ଗିବୀୟା ନିକଟରେ ଆପଣାମାନଙ୍କୁ ସଜାଇଲେ।
31 ତହୁଁ ବିନ୍ୟାମୀନ୍-ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ; ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଧ କରିବାକୁ ଲାଗିଲେ; ଆଉ ବେଥେଲ୍‍ ଆଡ଼େ ଓ କ୍ଷେତ୍ର ଦେଇ ଗିବୀୟା ଆଡ଼େ ଯିବା ଦୁଇ ସଡ଼କରେ ସେମାନେ ଊଣାଧିକ ଇସ୍ରାଏଲୀୟ ତିରିଶ ଲୋକଙ୍କୁ ବଧ କଲେ।
32 ତହୁଁ ବିନ୍ୟାମୀନ୍-ସନ୍ତାନମାନେ କହିଲେ, ଏମାନେ ତ ପୂର୍ବ ପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଇସ୍ରାଏଲ ସନ୍ତାନଗଣ କହିଲେ, ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ।
33 ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲ୍‍ତାମରରେ ଆପଣାମାନଙ୍କୁ ସଜାଇଲେ; ଏଥିମଧ୍ୟରେ ଇସ୍ରାଏଲର ଛକି ବସିବା ଲୋକମାନେ ଗିବୀୟାସ୍ଥ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠି ଆସିଲେ।
34 ତହୁଁ ଇସ୍ରାଏଲୀୟ ସମସ୍ତ ଲୋକଙ୍କ ମଧ୍ୟରୁ ଦଶ ହଜାର ବଛା ଲୋକ ଗିବୀୟା ନିକଟକୁ ଆସନ୍ତେ, ଭାରୀ ଯୁଦ୍ଧ ହେଲା; ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି, ଏହା ସେମାନେ ଜାଣିଲେ ନାହିଁ।
ବିଚାରକର୍ତ୍ତା 20 in ଓଡିଆ ବାଇବେଲ