Text copied!
Bibles in Odia

ବିଚାରକର୍ତ୍ତା 1:19-34 in Odia

Help us?

ବିଚାରକର୍ତ୍ତା 1:19-34 in ଓଡିଆ ବାଇବେଲ

19 ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ ରଥ ଥିଲା।
20 ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେହି ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ି ଦେଲେ।
21 ବିନ୍ୟାମୀନ୍-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ି ଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ବିନ୍ୟାମୀନ୍-ସନ୍ତାନଗଣ ସହିତ ବାସ କରୁଅଛନ୍ତି।
22 ଏଥିଉତ୍ତାରେ ଯୋଷେଫ-ବଂଶ ମଧ୍ୟ ବେଥେଲ୍‍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ।
23 ସେତେବେଳେ ଯୋଷେଫ-ବଂଶ ବେଥେଲ୍‍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୂସ୍‍ ଥିଲା।
24 ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶ କରିବା ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ବ୍ୟବହାର କରିବା।
25 ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ, ସେମାନେ ଖଡ୍ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ।
26 ଏଥିଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୂସ୍‍ ରଖିଲା; ତହିଁର ସେହି ନାମ ଆଜି ପର୍ଯ୍ୟନ୍ତ ଅଛି।
27 ଆଉ ମନଃଶି, ବେଥ୍-ଶାନ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗର ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
28 ଏଥିଉତ୍ତାରେ ଇସ୍ରାଏଲ ପରାକ୍ରାନ୍ତ ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ି ଦେଲେ ନାହିଁ।
29 ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ି ଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ।
30 ସବୂଲୂନ କିଟ୍ରୋଣ ଓ ନହଲୋଲ୍‍ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠି କର୍ମ କଲେ।
31 ଆଶେର ଅକ୍‍କୋ-ନିବାସୀମାନଙ୍କୁ କିଅବା ସୀଦୋନ କି ଅହଲବ୍‍ ଓ ଅକଷୀବ୍ କି ହିଲବା କି ଅଫିକ୍‍ କି ରହୋବନି ବାସୀମାନଙ୍କୁ ତଡ଼ିଦେଲା ନାହିଁ।
32 ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ।
33 ନପ୍ତାଲି ବେଥ୍-ଶେମଶ କି ବେଥ୍ନାତ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବେଥ୍-ଶେମଶ ଓ ବେଥ୍-ଆନାତ୍ ନିବାସୀମାନେ ସେମାନଙ୍କର ବେଠି କର୍ମ କଲେ।
34 ଆଉ ଇମୋରୀୟମାନେ ଦାନ୍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ।
ବିଚାରକର୍ତ୍ତା 1 in ଓଡିଆ ବାଇବେଲ