Text copied!
Bibles in Odia

ପ୍ରେରିତ 13:16-34 in Odia

Help us?

ପ୍ରେରିତ 13:16-34 in ଓଡିଆ ବାଇବେଲ

16 ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ୱର ଭୟକାରୀମାନେ, ଶ୍ରବଣ କରନ୍ତୁ ।
17 ଏହି ଇସ୍ରାଏଲ ଜାତିର ଈଶ୍ୱର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ ।
18 ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ,
19 ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ସେମାନଙ୍କ ଦେଶ ଅଧିକାରସ୍ୱରୂପେ ଦେଲେ ।
20 ଏଥିଉତ୍ତାରେ ଭାବବାଦୀ ଶାମୁଏଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ ।
21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ୱର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ ।
22 ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ ।
23 ତାହାଙ୍କ ବଂଶରୁ ଈଶ୍ୱର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି ।
24 ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ;
25 ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ । କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ ।
26 ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ୱର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି ।
27 କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାରରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ,
28 ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ ।
29 ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖା ଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ ।
30 କିନ୍ତୁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ,
31 ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ ।
32 ଆଉ ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ,
33 ଈଶ୍ୱର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଗୀତସଂହିତା ଦୁଇ ଅଧ୍ୟାୟରେ ମଧ୍ୟ ଲେଖା ଅଛି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ" ।
34 ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏବିଷୟରେ ସେ ଏହି ପ୍ରକାର କହିଅଛନ୍ତି, ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା ।
ପ୍ରେରିତ 13 in ଓଡିଆ ବାଇବେଲ