Text copied!
Bibles in Odia

ପ୍ରେରିତ 10:24-39 in Odia

Help us?

ପ୍ରେରିତ 10:24-39 in ଓଡିଆ ବାଇବେଲ

24 ପରଦିନ ସେମାନେ କାଇସରିିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ ।
25 ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ ।
26 କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ ।
27 ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
28 ଆଉ ସେ ସେମାନଙ୍କୁ କହିଲେ, ଅନ୍ୟ ଜାତିର କୌଣସି ଲୋକ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୂଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି ।
29 ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି । ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି ?
30 କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
31 ପୁଣି, ତୁମ୍ଭର ଦାନସବୁ ଈଶ୍ୱରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି ।
32 ଅତଏବ ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି ।
33 ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି । ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ ।
34 ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ପକ୍ଷପାତ କରନ୍ତି ନାହିଁ,
35 କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି ।
36 ସେ ତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ ।
37 ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ସମୟରୁ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦା ରେ ପ୍ରଚାରିତ ହୋଇଅଛି,
38 ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ ।
39 ପୁଣି, ସେ ଯିହୂଦୀମାନଙ୍କ ଦେଶ ଓ ଯିରୂଶାଲମରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ ।
ପ୍ରେରିତ 10 in ଓଡିଆ ବାଇବେଲ