Text copied!
Bibles in Odia

ପ୍ରେରିତ 10:19-36 in Odia

Help us?

ପ୍ରେରିତ 10:19-36 in ଓଡିଆ ବାଇବେଲ

19 ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି ।
20 ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ ।
21 ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି । ତୁମ୍ଭମାନଙ୍କ ଆସିବାର କାରଣ କ'ଣ ?
22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୂଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି ।
23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ । ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ ।
24 ପରଦିନ ସେମାନେ କାଇସରିିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ ।
25 ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ ।
26 କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ ।
27 ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
28 ଆଉ ସେ ସେମାନଙ୍କୁ କହିଲେ, ଅନ୍ୟ ଜାତିର କୌଣସି ଲୋକ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୂଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି ।
29 ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି । ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି ?
30 କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
31 ପୁଣି, ତୁମ୍ଭର ଦାନସବୁ ଈଶ୍ୱରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି ।
32 ଅତଏବ ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି ।
33 ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି । ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ ।
34 ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ପକ୍ଷପାତ କରନ୍ତି ନାହିଁ,
35 କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି ।
36 ସେ ତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ ।
ପ୍ରେରିତ 10 in ଓଡିଆ ବାଇବେଲ