Text copied!
Bibles in Odia

ପ୍ରଥମ ରାଜାବଳୀ 8:46-62 in Odia

Help us?

ପ୍ରଥମ ରାଜାବଳୀ 8:46-62 in ଓଡିଆ ବାଇବେଲ

46 ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, କାରଣ ଯେ ପାପ ନ କରେ, ଏପରି କୌଣସି ମନୁଷ୍ୟ ନାହିଁ, ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲେ ଯେବେ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ ଅବା ନିକଟସ୍ଥ ଶତ୍ରୁଦେଶକୁ ନେଇ ଯା’ନ୍ତି;
47 ତେବେ ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ଅନୁତାପ କରନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ଆମ୍ଭେମାନେ ପାପ କଲୁ ଓ ବିପଥଗାମୀ ହେଲୁ ଓ ଦୁଷ୍ଟପଣ କଲୁ;
48 ଆଉ, ଯେଉଁ ଶତ୍ରୁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ ଓ ତୁମ୍ଭ ମନୋନୀତ ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ’ ନିର୍ମିତ ଗୃହ ଆଡ଼େ ମୁଖ କରି ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି,
49 ତେବେ ତୁମ୍ଭେ ଆପଣା ନିବାସ-ସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କ ବିଚାର ନିଷ୍ପତ୍ତି କର;
50 ପୁଣି, ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ ଓ ତୁମ୍ଭ ବିରୁଦ୍ଧରେ କୃତ ସେମାନଙ୍କର ସମସ୍ତ ଅଧର୍ମ କ୍ଷମା କର; ପୁଣି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନେ ଯେପରି ଦୟା କରିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟିରେ ସେମାନଙ୍କୁ ଦୟାପାତ୍ର କର।
51 କାରଣ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ;
52 ତୁମ୍ଭ ଦାସର ବିନତି ପ୍ରତି ଓ ତୁମ୍ଭ ଲୋକ ଇସ୍ରାଏଲର ବିନତି ପ୍ରତି ତୁମ୍ଭର ଚକ୍ଷୁ ପ୍ରସନ୍ନ ଥାଉ ଓ ସେମାନେ ଯେକୌଣସି ସମୟରେ ତୁମ୍ଭକୁ ଡାକି ପ୍ରାର୍ଥନା କରନ୍ତି, ସେସମୟରେ ତାହା ଶୁଣ।
53 କାରଣ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେପରି କହିଥିଲ, ତଦନୁସାରେ ତୁମ୍ଭେ ସେମାନଙ୍କୁ ଆପଣା ଅଧିକାର ଦେବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରୁ ପୃଥକ୍‍ କରିଅଛ।”
54 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନିକଟରେ ଏହିସବୁ ପ୍ରାର୍ଥନା ଓ ବିନତି-ନିବେଦନ କରିବାର ସମାପ୍ତ କରନ୍ତେ, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଜାନୁପାତରୁ ଓ ସ୍ୱର୍ଗ ଆଡ଼େ ହସ୍ତ-ବିସ୍ତାରକରଣରୁ ଉଠିଲେ।
55 ପୁଣି, ସେ ଠିଆ ହୋଇ ଉଚ୍ଚସ୍ୱରରେ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କରି କହିଲେ,
56 “ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; ସେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ, ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇ ନାହିଁ।
57 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପିତୃଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଥାଉନ୍ତୁ; ସେ ଆମ୍ଭମାନଙ୍କୁ ତ୍ୟାଗ ନ କରନ୍ତୁ, କିଅବା ଆମ୍ଭମାନଙ୍କଠାରୁ ଦୂରବର୍ତ୍ତୀ ନ ହେଉନ୍ତୁ।
58 ତାହାଙ୍କର ସମସ୍ତ ପଥରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ତାହାଙ୍କ ସମସ୍ତ ଆଜ୍ଞା, ବିଧି ଓ ଶାସନ ପାଳନ କରିବା ପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣକୁ ଆପଣା ପ୍ରତି ଆକର୍ଷଣ କରନ୍ତୁ।
59 ଆଉ, ମୁଁ ଏହି ଯେସବୁ କଥାରେ ସଦାପ୍ରଭୁଙ୍କ ସମ୍ମୁଖରେ ନିବେଦନ କଲି, ତାହା ଦିବାରାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୋଚରରେ ଥାଉ, ପୁଣି, ପ୍ରତି ଦିନର ପ୍ରୟୋଜନାନୁସାରେ ସେ ଆପଣା ଦାସର ବିଚାର ଓ ଆପଣା ଲୋକ ଇସ୍ରାଏଲର ବିଚାର-ନିଷ୍ପତ୍ତି କରନ୍ତୁ;
60 ତହିଁରେ ସଦାପ୍ରଭୁ ଯେ ପରମେଶ୍ୱର, ତାହାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀସ୍ଥ ସମୁଦାୟ ଗୋଷ୍ଠୀ ଜ୍ଞାତ ହେବେ।
61 ଏହେତୁ ଆଜିର ନ୍ୟାୟ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିଧିରୂପ ପଥରେ ଚାଲିବା ପାଇଁ ଓ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ସିଦ୍ଧ ଥାଉ।”
62 ଏଉତ୍ତାରେ ରାଜା ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ।
ପ୍ରଥମ ରାଜାବଳୀ 8 in ଓଡିଆ ବାଇବେଲ