Text copied!
Bibles in Odia

ପ୍ରଥମ ରାଜାବଳୀ 2:9-21 in Odia

Help us?

ପ୍ରଥମ ରାଜାବଳୀ 2:9-21 in ଓଡିଆ ବାଇବେଲ

9 ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।”
10 ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ-ନଗରରେ କବର ପାଇଲେ।
11 ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ; ସେ ସାତ ବର୍ଷ ହିବ୍ରୋଣରେ ରାଜ୍ୟ କଲେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।
12 ଏଥିଉତ୍ତାରେ ଶଲୋମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
13 ତହିଁରେ ହଗୀତର ପୁତ୍ର ଅଦୋନୀୟ ଶଲୋମନଙ୍କର ମାତା ବତ୍‍ଶେବା ନିକଟକୁ ଆସନ୍ତେ, ସେ ପଚାରିଲେ, “କୁଶଳରେ ଆସିଲ ?” ସେ ଉତ୍ତର କଲା, “କୁଶଳରେ।”
14 ସେ ଆହୁରି କହିଲା, “ମୋହର ତୁମ୍ଭକୁ କିଛି କହିବାର ଅଛି।” ବତ୍‍ଶେବା କହିଲେ, “କୁହ।”
15 ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋ’ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋ’ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।”
16 ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର। ବତ୍‍ଶେବା ତାହାକୁ କହିଲେ, “କୁହ।”
17 ତହୁଁ ସେ କହିଲା, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସଙ୍ଗେ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।
18 ଏଥିରେ ବତ୍‍ଶେବା କହିଲେ, “ଭଲ; ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19 ଏହେତୁ ବତ୍‍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ।
20 ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
21 ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।”
ପ୍ରଥମ ରାଜାବଳୀ 2 in ଓଡିଆ ବାଇବେଲ