Text copied!
Bibles in Odia

ପ୍ରଥମ ରାଜାବଳୀ 2:19-31 in Odia

Help us?

ପ୍ରଥମ ରାଜାବଳୀ 2:19-31 in ଓଡିଆ ବାଇବେଲ

19 ଏହେତୁ ବତ୍‍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ।
20 ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
21 ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।”
22 ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ ?” ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।
23 ସେତେବେଳେ ଶଲୋମନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, “ଯେବେ ଅଦୋନୀୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”
24 ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋ’ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇ ଅଛନ୍ତି ଓ ଯେ ମୋ’ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦୋନୀୟ ନିଶ୍ଚୟ ଆଜି ହତ ହେବ।
25 ଏଉତ୍ତାରେ ଶଲୋମନ ରାଜା ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ; ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା।
26 ଏଥିଉତ୍ତାରେ ରାଜା ଅବୀୟାଥର ଯାଜକଙ୍କୁ କହିଲେ, “ତୁମ୍ଭେ ଅନାଥୋତ୍‍କୁ ଆପଣା କ୍ଷେତ୍ରକୁ ଯାଅ; କାରଣ, ତୁମ୍ଭେ ମୃତ୍ୟୁୁ ଯୋଗ୍ୟ; ମାତ୍ର, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋ’ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଦୁକ ବହିଥିଲ, ଆହୁରି ମୋ’ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ।
27 ଏନିମନ୍ତେ ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବୀୟାଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ।
28 ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।
29 ଏଉତ୍ତାରେ ଦେଖ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦି ନିକଟରେ ଅଛି, ଏହି ସମ୍ବାଦ ଶଲୋମନ ରାଜାଙ୍କୁ ଦିଆଯା’ନ୍ତେ, ସେ ଯିହୋୟାଦାର ପୁତ୍ର ବନାୟକୁ ପଠାଇ କହିଲେ, “ଯାଅ, ତାକୁ ଆକ୍ରମଣ କର।”
30 ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, “ରାଜା କହିଅଛନ୍ତି, ବାହାରକୁ ଆସ।” ମାତ୍ର ସେ କହିଲା, “ନା, ମୁଁ ଏଠାରେ ମରିବି।” ଏଥିରେ ବନାୟ ପୁଣି, ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, “ଯୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା।”
31 ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋ’ଠାରୁ ଓ ମୋ’ ପିତୃଗୃହରୁ ଦୂର କରିବ।”
ପ୍ରଥମ ରାଜାବଳୀ 2 in ଓଡିଆ ବାଇବେଲ