Text copied!
Bibles in Odia

ଗୀତସଂହିତା 89:14-36 in Odia

Help us?

ଗୀତସଂହିତା 89:14-36 in ଓଡିଆ ବାଇବେଲ

14 ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ; ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ।
15 ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ ଧନ୍ୟ; ହେ ସଦାପ୍ରଭୁ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ ଗମନାଗମନ କରନ୍ତି।
16 ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି।
17 କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ; ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ।
18 କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର।
19 ସେସମୟରେ ତୁମ୍ଭେ ଆପଣା ସଦ୍‍ଭକ୍ତମାନଙ୍କୁ ଦର୍ଶନ ଦେଇ କଥା କହିଲ, ପୁଣି, କହିଲ, “ଆମ୍ଭେ ଏକ ବିକ୍ରମୀ ଉପରେ ସାହାଯ୍ୟ କରିବାର ଭାର ଦେଇଅଛୁ; ଆମ୍ଭେ ଲୋକମାନଙ୍କ ମଧ୍ୟରୁ ମନୋନୀତ ଏକ ଜଣକୁ ଉନ୍ନତ କରିଅଛୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ; ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ;
21 ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ; ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ।
22 ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ; କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା।
24 ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ; ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ।
25 ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ ଓ ନଦୀସମୂହ ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା।
26 ସେ ଆମ୍ଭଙ୍କୁ ଡାକି କହିବ, ତୁମ୍ଭେ ଆମ୍ଭର ପିତା, ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ।
27 ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ, ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା।
28 ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା, ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।
29 ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା।
30 ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା ପରିତ୍ୟାଗ କରନ୍ତି ଓ ଆମ୍ଭ ଶାସନରେ ନ ଚାଲନ୍ତି;
31 ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି;
32 ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା।
33 ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ; କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।
34 ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ, କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା ନାହିଁ।
35 ଆମ୍ଭେ ଆପଣା ପବିତ୍ରତା ଘେନି ଥରେ ଶପଥ କରିଅଛୁ; ଆମ୍ଭେ ଦାଉଦକୁ ମିଥ୍ୟା କହିବା ନାହିଁ।
36 ତାହାର ବଂଶ ସଦାକାଳ ରହିବ ଓ ତାହାର ସିଂହାସନ ଆମ୍ଭ ସମ୍ମୁଖରେ ସୂର୍ଯ୍ୟ ତୁଲ୍ୟ ରହିବ।
ଗୀତସଂହିତା 89 in ଓଡିଆ ବାଇବେଲ