11 ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ ଆମ୍ଭମାନଙ୍କୁ ସମର୍ପଣ କରିଅଛ ଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛ।
12 ତୁମ୍ଭେ ଆପଣା ଲୋକମାନଙ୍କୁ ବିନାମୂଲ୍ୟରେ ବିକ୍ରୟ କରୁଅଛ ଓ ସେମାନଙ୍କ ମୂଲ୍ୟ ଦ୍ୱାରା ଆପଣା ଧନ ବୃଦ୍ଧି କରି ନାହଁ।
13 ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ ଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଉପହାସର ପାତ୍ର କରୁଅଛ।
14 ତୁମ୍ଭେ ଆମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଗଳ୍ପର ବିଷୟ ଓ ଜନବୃନ୍ଦ ମଧ୍ୟରେ ମୁଣ୍ଡହଲାର କାରଣ କରିଅଛ।
15 ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି, ଶତ୍ରୁ ଓ ପ୍ରତିହିଂସକ ସକାଶୁ,
16 ସାରାଦିନ ମୋ’ ଅପମାନ ମୋ’ ସମ୍ମୁଖରେ ଥାଏ ଓ ମୋ’ ମୁଖର ଲଜ୍ଜା ମୋତେ ଢାଙ୍କିଅଛି।
17 ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପି ଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମ ବିଷୟରେ ଅସତ୍ୟ ବ୍ୟବହାର କରି ନାହୁଁ।
18 ତୁମ୍ଭେ ଆମ୍ଭମାନଙ୍କୁ ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣ ଓ ମୃତ୍ୟୁୁଛାୟାରେ ଆଚ୍ଛନ୍ନ କରିଅଛ ବୋଲି
19 ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ, କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ ହୋଇ ନାହିଁ।
20 ଯଦି ଆମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ପାସୋରିଥାଉ, ଅବା କୌଣସି ଅନ୍ୟ ଦେବତା ଆଡ଼େ ହସ୍ତ ପ୍ରସାରିଥାଉ;
21 ତେବେ ପରମେଶ୍ୱର କି ତାହା ଅନୁସନ୍ଧାନ କରିବେ ନାହିଁ ? କାରଣ ସେ ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି।
22 ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ ହେଉଅଛୁ; ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷତୁଲ୍ୟ ଗଣିତ ହେଉଅଛୁ।
23 ଜାଗ, ହେ ପ୍ରଭୁ, ତୁମ୍ଭେ କାହିଁକି ନିଦ୍ରିତ ହେଉଅଛ ? ଉଠ, ଆମ୍ଭମାନଙ୍କୁ ସଦାକାଳ ଦୂର କର ନାହିଁ।
24 ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ, ପୁଣି, ଆମ୍ଭମାନଙ୍କ କ୍ଳେଶ ଓ ଦୌରାତ୍ମଭୋଗ ବିସ୍ମୃତ ହେଉଅଛ ?