Text copied!
Bibles in Odia

ଗୀତସଂହିତା 18:21-48 in Odia

Help us?

ଗୀତସଂହିତା 18:21-48 in ଓଡିଆ ବାଇବେଲ

21 କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଅଛି ଓ ଦୁଷ୍ଟ ଭାବରେ ମୁଁ ପରମେଶ୍ୱରଙ୍କ ନିକଟରୁ ପ୍ରସ୍ଥାନ କରି ନାହିଁ।
22 ଆଉ, ତାହାଙ୍କ ଶାସନସବୁ ମୋ’ ସମ୍ମୁଖରେ ଥିଲା, ପୁଣି, ମୁଁ ତାହାଙ୍କ ବିଧିସବୁ ଆପଣାଠାରୁ ଦୂର କଲି ନାହିଁ।
23 ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି।
24 ଏହେତୁ ସଦାପ୍ରଭୁ ମୋର ଧର୍ମାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋ’ ହସ୍ତର ଶୌଚାନୁସାରେ ମୋତେ ଫଳ ଦେଇ ଅଛନ୍ତି।
25 ଦୟାଳୁ ପ୍ରତି ତୁମ୍ଭେ ଆପଣାକୁ ଦୟାଳୁ ଦେଖାଇବ; ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ;
26 ନିର୍ମଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ନିର୍ମଳ ଦେଖାଇବ। ଆଉ, କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ;
27 କାରଣ ତୁମ୍ଭେ ଦୁଃଖୀଲୋକମାନଙ୍କୁ ତ୍ରାଣ କରିବ; ମାତ୍ର ଦାମ୍ଭିକ ଚକ୍ଷୁକୁ ତୁମ୍ଭେ ନତ କରିବ।
28 ଯେଣୁ ତୁମ୍ଭେ ମୋ’ ପ୍ରଦୀପ ଜ୍ୱଳାଇବ; ସଦାପ୍ରଭୁ ମୋ’ ପରମେଶ୍ୱର ମୋ’ ଅନ୍ଧକାରକୁ ଆଲୁଅମୟ କରିବେ।
29 କାରଣ ତୁମ୍ଭ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋ’ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀର ଡିଏଁ।
30 ପରମେଶ୍ୱରଙ୍କ ପଥ ସିଦ୍ଧ; ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ; ସେ ଆପଣା ଶରଣାଗତ ସମସ୍ତଙ୍କର ଢାଲ।
31 କାରଣ ସଦାପ୍ରଭୁଙ୍କ ଛଡ଼ା ପରମେଶ୍ୱର କିଏ ? ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଶୈଳ କିଏ ?
32 ସେହି ପରମେଶ୍ୱର ବଳ ଦେଇ ମୋହର କଟି ବାନ୍ଧନ୍ତି ଓ ମୋହର ପଥ ସିଦ୍ଧ କରନ୍ତି।
33 ସେ ମୋହର ଚରଣକୁ ହରିଣୀର ଚରଣ ପରି କରନ୍ତି ଓ ମୋତେ ମୋ’ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ସେ ମୋ’ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତେଣୁ ମୋ’ ବାହୁ ପିତ୍ତଳ ଧନୁ ନୁଆଁଏ।
35 ତୁମ୍ଭେ ମଧ୍ୟ ଆପଣା ପରିତ୍ରାଣର ଢାଲ ମୋତେ ଦେଇଅଛ; ଆଉ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖିଅଛି ଓ ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି।
36 ତୁମ୍ଭେ ମୋ’ ପାଦ ପକାଇବାର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋ’ ପାଦ ଖସି ଯାଇ ନାହିଁ।
37 ମୁଁ ଆପଣା ଶତ୍ରୁମାନଙ୍କ ପଛେ ଗୋଡ଼ାଇ ସେମାନଙ୍କୁ ଧରିବି; କିଅବା ସେମାନେ ସଂହାରିତ ନୋହିବା ଯାଏ ମୁଁ ଫେରି ଆସିବି ନାହିଁ।
38 ମୁଁ ସେମାନଙ୍କୁ ଏପରି ଆଘାତ କରିବି ଯେ, ସେମାନେ ଆଉ ଉଠି ପାରିବେ ନାହିଁ; ସେମାନେ ମୋ’ ପଦ ତଳେ ପତିତ ହେବେ।
39 କାରଣ ତୁମ୍ଭେ ବଳ ଦେଇ ଯୁଦ୍ଧାର୍ଥେ ମୋ’ କଟି ବାନ୍ଧିଅଛ; ମୋ’ ବିରୁଦ୍ଧରେ ଯେଉଁମାନେ ଉଠିଲେ, ସେମାନଙ୍କୁ ତୁମ୍ଭେ ମୋହର ବଶୀଭୂତ କରିଅଛ।
40 ମଧ୍ୟ ତୁମ୍ଭେ ମୋ’ ଶତ୍ରୁମାନଙ୍କୁ ମୋ’ ନିକଟରୁ ଫେରାଇ ଦେଇଅଛ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କରିଅଛି।
41 ସେମାନେ ଡାକ ପକାଇଲେ, ମାତ୍ର ଉଦ୍ଧାର କରିବାକୁ କେହି ନ ଥିଲା, ସଦାପ୍ରଭୁଙ୍କୁ ହିଁ ଡାକିଲେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ସେତେବେଳେ ମୁଁ ବାୟୁ ସମ୍ମୁଖସ୍ଥ ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି; ମୁଁ ସେମାନଙ୍କୁ ବାଟର କାଦୁଅ ପରି ପକାଇଦେଲି।
43 ତୁମ୍ଭେ ଲୋକମାନଙ୍କ ବିବାଦରୁ ମୋତେ ଉଦ୍ଧାର କରିଅଛ; ତୁମ୍ଭେ ମୋତେ ଗୋଷ୍ଠୀସମୂହର ମସ୍ତକ ସ୍ୱରୂପ କରିଅଛ; ମୋହର ଅପରିଚିତ ଗୋଷ୍ଠୀ ମୋହର ସେବା କରିବେ।
44 ସେମାନେ ମୋର ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେବେ; ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ।
45 ବିଦେଶୀୟମାନେ ମ୍ଳାନ ହୋଇଯିବେ ଓ ଆପଣାମାନଙ୍କ ଗୁପ୍ତସ୍ଥାନରୁ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବିତ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।
47 ସେହି ପରମେଶ୍ୱର ମୋ’ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋହର ବଶୀଭୂତ କରନ୍ତି।
48 ସେ ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି; ହଁ, ତୁମ୍ଭେ ମୋ’ ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ଉଦ୍ଧାର କରୁଅଛ।
ଗୀତସଂହିତା 18 in ଓଡିଆ ବାଇବେଲ