Text copied!
Bibles in Odia

ଗୀତସଂହିତା 119:89-108 in Odia

Help us?

ଗୀତସଂହିତା 119:89-108 in ଓଡିଆ ବାଇବେଲ

89 ଲାମଦ୍‍। ହେ ସଦାପ୍ରଭୁ, ତୁମ୍ଭ ବାକ୍ୟ ଅନନ୍ତକାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ; ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ।
91 ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର; କାରଣ ସମସ୍ତେ ତୁମ୍ଭର ଦାସ।
92 ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥା’ନ୍ତି।
93 ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।
94 ମୋତେ ତ୍ରାଣ କର, ମୁଁ ତୁମ୍ଭର; କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।
95 ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି; ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।
96 ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ।
97 ମେମ୍‍। ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।
98 ତୁମ୍ଭ ଆଜ୍ଞାସବୁ ମୋତେ ମୋ’ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ; କାରଣ ତାହାସବୁ ନିରନ୍ତର ମୋ’ ସଙ୍ଗେ ଥାଏ।
99 ମୋହର ସମସ୍ତ ଗୁରୁ ଅପେକ୍ଷା ମୋ’ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।
100 ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।
101 ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।
102 ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।
103 ମୋ’ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର ! ହଁ, ମୋ’ ମୁଖକୁ ତାହା ମଧୁ ଅପେକ୍ଷା ମଧୁର !
104 ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
105 ନୂନ୍‍। ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ।
106 ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି।
107 ମୁଁ ଅତ୍ୟନ୍ତ ଦୁଃଖିତ ଅଛି; ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।
108 ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ’ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।
ଗୀତସଂହିତା 119 in ଓଡିଆ ବାଇବେଲ