46 ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି।
47 ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।
48 ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି; ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି।
49 ସୟିନ୍। ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।
50 ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
51 ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।
52 ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।
53 ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।
54 ମୋ’ ପ୍ରବାସ-ଗୃହରେ ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି।
55 ହେ ସଦାପ୍ରଭୁ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି।
56 ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି।
57 ହେତ୍। ସଦାପ୍ରଭୁ ମୋହର ଅଂଶ; ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି।
58 ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; ଆପଣା ବାକ୍ୟାନୁସାରେ ମୋ’ ପ୍ରତି ଦୟାଳୁ ହୁଅ।
59 ମୁଁ ଆପଣା ଗତିସବୁ ବିବେଚନା କଲି ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି।
60 ତୁମ୍ଭର ଆଜ୍ଞାସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।
61 ଦୁଷ୍ଟମାନଙ୍କର ରଜ୍ଜୁ ମୋ’ ଚାରିଆଡ଼େ ଜଡ଼ିତ ହେଲା; ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ।
62 ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।