Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 9

ଲୂକ 9:8-44

Help us?
Click on verse(s) to share them!
8ପୁଣି, କେହି କେହି ଏଲିୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ ।
9କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ ।
10ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହି ସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ । ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥସାଇଦା ନାମକ ନଗରକୁ ଚାଲିଗଲେ ।
11କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ ।
12ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ସାଇଗୁଡ଼ିକକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ ।
13କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ । ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କ'ଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା ?
14କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ । ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ ।
15ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ ।
16ଆଉ, ସେ ସେହି ପାଞ୍ଚଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହି ସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ ।
17ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ସେମାନେ ସେମାନଙ୍କ ନିକଟରେ ବଳିଥିବା ବାର ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଲେ ।
18ଥରେ ସେ ଏକୁଟିଆ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକସାଧାରଣ କ'ଣ କହନ୍ତି ?
19ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲିୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ।
20ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? ପିତର ଉତ୍ତର ଦେଲେ, ଆପଣ ଈଶ୍ୱରଙ୍କ ଖ୍ରୀଷ୍ଟ" ।
21ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
22ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ଉଠିବାକୁ ହେବ ।
23ସେତବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ ।
24କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ ।
25ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ ?
26ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ ।
27କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ ।
28ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ ।
29ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା ।
30ଆଉ ଦେଖ, ମୋଶା ଓ ଏଲିୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
31ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ ।
32ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ ।
33ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ । କିନ୍ତୁ ସେ କ'ଣ କହୁଅଛନ୍ତି, ତାହା ଜାଣିଲେ ନାହିଁ ।
34ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ ।
35ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ ।
36ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ । ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ ।
37ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ ।
38ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋ' ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
39ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ, ତାହା ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ ।
40ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ ।
41ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି ? ତୁମ୍ଭର ପୁଅକୁ ଏଠିକି ନେଇଆସ ।
42ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ ।
43ସେଥିରେ ସମସ୍ତେ ଈଶ୍ୱରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ । ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
44ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି ।

Read ଲୂକ 9ଲୂକ 9
Compare ଲୂକ 9:8-44ଲୂକ 9:8-44