Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 6

ଲୂକ 6:7-37

Help us?
Click on verse(s) to share them!
7ଆଉ, ସେ କେଜାଣି ବିଶ୍ରାମବାରରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ଭୁଲ୍ ପାଇ ପାରନ୍ତି ।
8କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ । ପୁଣି, ସେ ଉଠି ଠିଆ ହେଲା ।
9ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାମବାରରେ କ'ଣ କରିବା ଉଚିତ ? ଭଲ କରିବା ନା ମନ୍ଦ କରିବା ? ଜୀବନ ରକ୍ଷା କରିବା ନା ବିନାଶ କରିବା ?
10ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି, ଭଲ ହୋଇଗଲା ।
11କିନ୍ତୁ ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି କ'ଣ କରି ପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ ।
12ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ବିତାଇଲେ ।
13ସକାଳ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ ବାର ଜଣକୁ ମନୋନୀତ କଲେ; ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ,
14ସେମାନେ ଶିମୋନ, ଯାହାକୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାହାଙ୍କ ଭାଇ ଆନ୍ଦ୍ରୀୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବାର୍ଥଲମୀ,
15ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍‌ଯୋଗୀ ବୋଲି କହନ୍ତି,
16ଯାକୁବଙ୍କ ପୁତ୍ର ଯିହୂଦା ଓ ଈଷ୍କାରିୟୋତୀୟ ଯିହୂଦା, ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ।
17ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୂଦା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଉପସ୍ଥିତ ହେଲେ;
18ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ;
19ପୁଣି, ଲୋକସମୂହ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ବାହାରି ସମସ୍ତଙ୍କୁ ସୁସ୍ଥ କରୁଥିଲା ।
20ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କୁ ଦେଖି କହିଲେ, ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର ।
21ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ । ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ ।
22ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ ।
23ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।
24କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖଭୋଗ କରିଅଛ ।
25ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ । ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ ।
26ଯେତେବେଳେ ଲୋକ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।
27କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର;
28ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର ।
29ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡା଼ ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା (ପୋଷାକ) ମଧ୍ୟ ନେବାକୁ ମନା କର ନାହିଁ ।
30ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ ।
31ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କର ।
32ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି ।
33ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି ।
34ପୁଣି, ଯେଉଁମାନଙ୍କଠାରୁ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି ।
35ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି, ପରିଶୋଧର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ମହାନ ଈଶ୍ୱରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ଦୟାଳୁ ଅଟନ୍ତି ।
36ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ ।
37ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ । କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ;

Read ଲୂକ 6ଲୂକ 6
Compare ଲୂକ 6:7-37ଲୂକ 6:7-37