Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 24

ଲୂକ 24:9-37

Help us?
Click on verse(s) to share them!
9ପୁଣି, ସମାଧିରୁ ବାହୁଡ଼ିଯାଇ ଏକାଦଶ ଓ ଅନ୍ୟ ସମସ୍ତଙ୍କୁ ଏହି ସବୁ ସମ୍ବାଦ ଦେଲେ ।
10ଏମାନେ ମଗ୍‌ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଇଲେ ।
11ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ କଳ୍ପିତ ଗଳ୍ପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ ।
12କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ ପୁଣି, ନଇଁପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ ।
13ଆଉ ଦେଖ, ସେହି ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯିରୂଶାଲମଠାରୁ ପ୍ରାୟ ସାତ ମାଇଲ୍ ଦୂରବର୍ତ୍ତୀ ଇମ୍ମାୟୁ ଗ୍ରାମକୁ ଯାଉଥିଲେ
14ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ ।
15ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ;
16କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ ।
17ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେ ସବୁ କ'ଣ ? ସେଥିରେ ସେମାନେ ଦୁଃଖି ମୁଖରେ ଠିଆ ହୋଇ ରହିଲେ ।
18ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କ'ଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ ?
19ସେ ସେମାନଙ୍କୁ ପଚାରିଲେ, କି କି ପ୍ରକାର ଘଟଣା ? ସେମାନେ ତାହାଙ୍କୁ କହିଲେ, ନାଜରିତୀୟ ଯୀଶୁଙ୍କ ବିଷୟ; ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ,
20ଆଉ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହି ସମସ୍ତ ବିଷୟ ।
21କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।
22ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ଭିତ କରିଅଛନ୍ତି; ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ
23ଆଉ, ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି ।
24ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ, ସ୍ତ୍ରୀଲୋକମାନେ ଯେପରି କହିଥିଲେ, ସେପରି ଦେଖିଲେ, କିନ୍ତୁ ଯୀଶୁଙ୍କୁ ଦେଖିଲେ ନାହିଁ
25ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ,
26ଏହି ସମସ୍ତ ଦୁଃଖଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କ'ଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା ?
27ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ ।
28ଆଉ ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ ।
29କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, ଆମ୍ଭମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି । ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ ।
30ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି, ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ ।
31ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ; ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ ।
32ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା ?
33ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ;
34ସେମାନେ କହୁଥିଲେ ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି ।
35ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହି ସବୁ ବର୍ଣ୍ଣନା କରିବାକୁ ଲାଗିଲେ ।
36କିନ୍ତୁ ସେମାନେ ଏହି ସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ ।
37ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ ।

Read ଲୂକ 24ଲୂକ 24
Compare ଲୂକ 24:9-37ଲୂକ 24:9-37