Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 11

ଲୂକ 11:9-39

Help us?
Click on verse(s) to share them!
9ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇଦିଆଯିବ ।
10କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଦ୍ୱାର ଫିଟାଦିଆଯିବ ।
11ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ ?
12କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ ?
13ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ !
14ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା । ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ ।
15କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତ ଛଡ଼ାଏ ।
16ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ ।
17କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ ।
18ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ ? ମୁଁ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ ।
19କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି ? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ ।
20କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି ।
21ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ;
22କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହି ସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ ।
23ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋ’ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ ।
24ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରିଆସିଥିଲି, ମୋହର ସେହି ଘରକୁ ଫେରିଯିବି;
25ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ ।
26ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ ।
27ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲେ, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ ।
28ମାତ୍ର ସେ କହିଲେ, ନା, ବରଂ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେହିମାନେ ଧନ୍ୟ ।
29ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ ।
30କାରଣ ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ ।
31ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
32ନୀନିବୀର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
33କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି ।
34ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ ।
35ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ ।
36ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ ।
37ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
38କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ ।
39ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ ।

Read ଲୂକ 11ଲୂକ 11
Compare ଲୂକ 11:9-39ଲୂକ 11:9-39