Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 10

ଲୂକ 10:9-25

Help us?
Click on verse(s) to share them!
9ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ ।
10କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ,
11ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ିଦେଉଅଛୁ; ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ ।
12ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ ।
13ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ ।
14ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ ।
15ଆଉ, ରେ କଫର୍ନାହୂମ ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ ।
16ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋ' କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋ' ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ ।
17ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି ।
18କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି ।
19ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ ।
20ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର ।
21ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥି ନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା ।
22ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋ’ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।
23ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ ।
24କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହି ସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ ।
25ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି ?

Read ଲୂକ 10ଲୂକ 10
Compare ଲୂକ 10:9-25ଲୂକ 10:9-25