Text copied!
CopyCompare
ଓଡିଆ ବାଇବେଲ - ରୋମୀୟ - ରୋମୀୟ 11

ରୋମୀୟ 11:2-24

Help us?
Click on verse(s) to share them!
2ଈଶ୍ୱର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାଁନ୍ତି ଏଲୀୟଙ୍କ ବିବରଣରେ ଶାସ୍ତ୍ର କ'ଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ୱରଙ୍କଠାରେ ନିବେଦନ କରନ୍ତି,
3"ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି ।"
4କିନ୍ତୁ ତାଙ୍କୁ ଈଶ୍ୱର କ'ଣ ଉତ୍ତର ଦିଅନ୍ତି ? "ଯେଉଁମାନେ ବାଆଲ୍‍ ସମ୍ମୁଖରେ ଆଣ୍ଠୁ ପକାଇ ନାହାଁନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ ।'
5ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି ।
6କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ ।
7ତେବେ କ'ଣ ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ;
8ଯେପରି ଲେଖା ଅଛି, "ଈଶ୍ୱର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ ।
9ପୁଣି, ଦାଉଦ କହନ୍ତି, "ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧସ୍ୱରୂପ ହେଉ ।'
10ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ ।
11ତେବେ ମୁଁ କହେ, ସେମାନେ କ'ଣ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍‍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୂଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି ।
12ଯଦି ସେମାନଙ୍କର ପତନ ଜଗତର ଧନସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୂଦୀମାନଙ୍କ ଧନସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନସ୍ୱରୂପ ନ ହେବ !
13କିନ୍ତୁ ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି । ମୁଁ ଅଣଯିହୂଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋ' ସେବକପଦର ଗୌରବ କରୁଅଛି,
14ଯେପରି କୌଣସି ପ୍ରକାରେ ମୋହର ସ୍ୱଜାତିମାନଙ୍କୁ ଉଦ୍‍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରି ପାରେ ।
15କାରଣ ଯଦି ସେମାନଙ୍କର ଦୂରୀକରଣ ଦ୍ୱାରା ଜଗତର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କ'ଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ ?
16ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର ।
17କିନ୍ତୁ ଯଦି କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତ ବୃକ୍ଷର ଶାଖା ହେଲେ ହେଁ ସେହି ସବୁ ମଧ୍ୟରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ,
18ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ ।
19ତେବେ ତୁମ୍ଭେ କହିବ, ମୁଁ ଯେପରି କଲମ ହୋଇ ପାରେ, ଏଥି ନିମନ୍ତେ ଡାଳଗୁଡ଼ିକ ଉଚ୍ଛିନ୍ନ ହୋଇଅଛି ।
20ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ । ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର;
21କାରଣ ଯଦି ଈଶ୍ୱର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ ।
22ଅତଏବ, ଈଶ୍ୱରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ୱରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ ।
23ଆଉ, ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ୱର ସମର୍ଥ ଅଟନ୍ତି ।
24କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତ-ବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତ ବୃକ୍ଷରେ କଲମ କରାଯିବେ !

Read ରୋମୀୟ 11ରୋମୀୟ 11
Compare ରୋମୀୟ 11:2-24ରୋମୀୟ 11:2-24