Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 8

ଯୋହନ 8:22-49

Help us?
Click on verse(s) to share them!
22ତେଣୁ ଯିହୂଦୀମାନେ କହିବାକୁ ଲାଗିଲେ, ଏ କ'ଣ ଆତ୍ମହତ୍ୟା କରିବ ବୋଲି କହୁଅଛି, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ ?
23ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ; ତୁମ୍ଭେମାନେ ଜଗତରୁ ଉତ୍ପନ , ମୁଁ ଜଗତରୁ ଉତ୍ପନ ନୁହେଁ ।
24ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ ।
25ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ ? ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ସଙ୍ଗରେ କଥା କହିଲେ ଲାଭ କ'ଣ ?
26ତୁମ୍ଭମାନଙ୍କ ସମ୍ବନ୍ଧରେ କଥା କହିବାକୁ ଓ ବିଚାର କରିବାକୁ ମୋର ଅନେକ ବିଷୟ ଅଛି; ଯାହା ହେଉ, ମୋହର ପ୍ରେରଣକର୍ତ୍ତା ସତ୍ୟ, ଆଉ ମୁଁ ତାହାଙ୍କଠାରୁ ଯାହା ଯାହା ଶ୍ରବଣ କଲି, ସେହି ସବୁ ଜଗତକୁ ଜଣାଉଅଛି ।
27ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ, ଏହା ସେମାନେ ବୁଝିଲେ ନାହିଁ ।
28ଅତଏବ, ଯୀଶୁ କହିଲେ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ ।
29ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ ।
30ସେ ଏହି ସମସ୍ତ କଥା କହନ୍ତେ, ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।
31ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ,
32ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ ।
33ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ ?
34ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ, ସେ ପାପର ଦାସ ।
35ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ ।
36ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ ।
37ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ ।
38ମୁଁ ପିତାଙ୍କ ନିକଟରେ ଯାହା ଯାହା ଦେଖିଅଛି, ସେହି ସବୁ କହୁଅଛି; ଅତଏବ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପିତା ନିକଟରୁ ଯାହା ଯାହା ଶୁଣିଅଛ, ସେହି ସବୁ କର ।
39ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା । ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର;
40କିନ୍ତୁ ଯେ ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଏପରିଲୋକ ଯେ ମୁଁ, ମୋତେ ତୁମ୍ଭେମାନେ ଏବେ ବଧ କରିବାକୁ ଚେଷ୍ଟା କରୁଅଛ; ଅବ୍ରହାମ ଏପରି କର୍ମ କଲେ ନାହିଁ ।
41ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ୱର ।
42ଯୀଶୁ ସେମାନଙ୍କୁ କହିଲେ, ଈଶ୍ୱର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ ।
43ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ ।
44ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା ।
45କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ ।
46ମୋ'ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ ?
47ଯେ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଉତ୍ପନ୍ନ ନୁହଁ ।
48ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କ'ଣ ଆମ୍ଭେମାନେ ଠିକ‍ କହୁ ନାହୁଁ ?
49ଯୀଶୁ ଉତ୍ତର ଦେଲେ, ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ ।

Read ଯୋହନ 8ଯୋହନ 8
Compare ଯୋହନ 8:22-49ଯୋହନ 8:22-49