Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 7

ଯୋହନ 7:16-46

Help us?
Click on verse(s) to share them!
16ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋହର ଶିକ୍ଷା ମୋ' ନିଜର ନୁହେଁ, କିନ୍ତୁ ମୋ' ପ୍ରେରଣକର୍ତ୍ତାଙ୍କର ।
17କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ୱରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ ।
18ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ ।
19ମୋଶା କ'ଣ ତୁମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦେଇ ନାହାଁନ୍ତି ? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ । ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ ?
20ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି ?
21ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ ।
22ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାରରେ ମନୁଷ୍ୟର ସୁନ୍ନତ କରୁଅଛ ।
23ମୋଶାଙ୍କର ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାରରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାରରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋ' ଉପରେ କ୍ରୋଧ କରୁଅଛ?
24ବାହ୍ୟ ବିଷୟ ଦେଖି ବିଚାର ନ କରି ନ୍ୟାୟବିଚାର କର ।
25ଏଥିରେ ଯିରୂଶାଲମ ନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କ'ଣ ସେ ନୁହେଁ?
26ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାଁନ୍ତି । ଏ ଯେ ଖ୍ରୀଷ୍ଟ, ଏହା କ'ଣ ନେତାମାନେ ସତେ ଜାଣି ସାରିଲେଣି ?
27ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି ।
28ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, ତୁମ୍ଭେମାନେ ମୋତେ ଓ ମୋର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ ।
29ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ ।
30ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା ।
31କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କ'ଣ ଅଧିକ କରିବେ ?
32ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ ।
33ସେଥିରେ ଯୀଶୁ କହିଲେ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି ।
34ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ ।
35ଏଥିରେ ଯିହୂଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ ? ଏ କ'ଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଯିହୂଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି ?
36ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ, ସେ ଏହି ଯେଉଁ କଥା କହିଲେ, ସେ କ'ଣ ?
37ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ' ନିକଟକୁ ଆସି ପାନ କରୁ ।
38ଯେ ମୋ'ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ ।
39ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ ।
40ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ ।
41ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କ'ଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ ?
42ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କ'ଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ ?
43ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
44ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ ।
45ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
46ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ ।

Read ଯୋହନ 7ଯୋହନ 7
Compare ଯୋହନ 7:16-46ଯୋହନ 7:16-46