Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 7

ଯୋହନ 7:1-36

Help us?
Click on verse(s) to share them!
1ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ ।
2କିନ୍ତୁ ଯିହୂଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,
3ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହି ସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦା ପ୍ରଦେଶକୁ ଯାଅ,
4କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ । ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର ।
5କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ ।
6ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ ।
7ଜଗତ ତୁମ୍ଭମାନଙ୍କୁ ଘୃଣା କରି ପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି ।
8ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ ।
9ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ ।
10କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ ପ୍ରକାର ଗୋପନରେ ।
11ଏଣୁ ଯିହୂଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ ?
12ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି ।
13ତଥାପି ଯିହୂଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ ।
14କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ ।
15ଏଥିରେ ଯିହୂଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା ?
16ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋହର ଶିକ୍ଷା ମୋ' ନିଜର ନୁହେଁ, କିନ୍ତୁ ମୋ' ପ୍ରେରଣକର୍ତ୍ତାଙ୍କର ।
17କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ୱରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ ।
18ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ ।
19ମୋଶା କ'ଣ ତୁମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦେଇ ନାହାଁନ୍ତି ? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ । ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ ?
20ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି ?
21ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ ।
22ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାରରେ ମନୁଷ୍ୟର ସୁନ୍ନତ କରୁଅଛ ।
23ମୋଶାଙ୍କର ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାରରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାରରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋ' ଉପରେ କ୍ରୋଧ କରୁଅଛ?
24ବାହ୍ୟ ବିଷୟ ଦେଖି ବିଚାର ନ କରି ନ୍ୟାୟବିଚାର କର ।
25ଏଥିରେ ଯିରୂଶାଲମ ନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କ'ଣ ସେ ନୁହେଁ?
26ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାଁନ୍ତି । ଏ ଯେ ଖ୍ରୀଷ୍ଟ, ଏହା କ'ଣ ନେତାମାନେ ସତେ ଜାଣି ସାରିଲେଣି ?
27ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି ।
28ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, ତୁମ୍ଭେମାନେ ମୋତେ ଓ ମୋର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ ।
29ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ ।
30ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା ।
31କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କ'ଣ ଅଧିକ କରିବେ ?
32ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ ।
33ସେଥିରେ ଯୀଶୁ କହିଲେ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି ।
34ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ ।
35ଏଥିରେ ଯିହୂଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ ? ଏ କ'ଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଯିହୂଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି ?
36ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ, ସେ ଏହି ଯେଉଁ କଥା କହିଲେ, ସେ କ'ଣ ?

Read ଯୋହନ 7ଯୋହନ 7
Compare ଯୋହନ 7:1-36ଯୋହନ 7:1-36