Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 6

ଯୋହନ 6:22-64

Help us?
Click on verse(s) to share them!
22ସେ ସ୍ଥାନରେ ଗୋଟିଏ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ ।
23ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା;
24ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାଁନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସବୁ ନୌକାରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ ।
25ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ ?
26ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ ।
27କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ୱର ମୁଦ୍ରାଙ୍କିତ କଲେ ।
28ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ୱରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କ'ଣ କରିବାକୁ ହେବ?
29ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ ।
30ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନ ସ୍ୱରୂପ କ'ଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରି ପାରୁ ?
31ଆପଣ କ'ଣ ସାଧନ କରୁଅଛନ୍ତି ? ଆମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ ।
32ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାଁନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି;
33କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ୱରଦତ୍ତ ଆହାର ।
34ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ ।
35ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ ।
36କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି ।
37ପିତା ଯେସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ' ନିକଟକୁ ଆସିବେ; ଆଉ, ଯେ ମୋ' ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;
38କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି ।
39ଆଉ, ମୋହର ପ୍ରେରଣକର୍ତ୍ତା ଯେସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା ।
40କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି ।
41ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ, ସେ ଏହା କହିବାରୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,
42ଏ କ'ଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କ'ଣ ଏହାର ପିତାମାତାକୁ ଜାଣୁ ନାହୁଁ ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି ?
43ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣା ଆପଣା ମଧ୍ୟରେ ବଚସା କର ନାହିଁ ।
44ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ' ନିକଟକୁ ଆସି ପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।
45ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ । ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ' ନିକଟକୁ ଆସେ ।
46କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି ।
47ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି ।
48ମୁଁ ଜୀବନଦାୟକ ଆହାର ।
49ତୁମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ ।
50କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ ।
51ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି ।
52ଏଥିରେ ଯିହୂଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ ?
53ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ ।
54ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।
55କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ ।
56ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ ।
57ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ' ହେତୁ ଜୀବିତ ରହିବ ।
58ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ ।
59ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ ।
60ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ ?
61କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, ଏହା କ'ଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି ?
62ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କ'ଣ ?
63ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ ।
64କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାଁନ୍ତି । କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ ।

Read ଯୋହନ 6ଯୋହନ 6
Compare ଯୋହନ 6:22-64ଯୋହନ 6:22-64