Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 5

ଯୋହନ 5:21-39

Help us?
Click on verse(s) to share them!
21ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି ।
22ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି ।
23ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ ।
24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି ।
25ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ।
26କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି;
27ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ ।
28ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି,
29ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।
30ମୁଁ ନିଜେ କିଛି କରି ପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ ।
31ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ ।
32ମୋ' ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋ' ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ ।
33ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି;
34କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହି ସବୁ କହୁଅଛି ।
35ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ ।
36କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହି ସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି ।
37ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋ' ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି । ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ,
38ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ ।
39ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି ।

Read ଯୋହନ 5ଯୋହନ 5
Compare ଯୋହନ 5:21-39ଯୋହନ 5:21-39