Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 5

ଯୋହନ 5:2-24

Help us?
Click on verse(s) to share them!
2ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ ।
3ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ । ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ;
4କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା ।
5ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା ।
6ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ?
7ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ ।
8ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ ।
9ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା ।
10ଅତଏବ, ଯିହୂଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ ।
11କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, ତୁମ୍ଭର ଖଟିଆ ଘେନି ଚାଲ ।
12ସେମାନେ ତାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ ?
13କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ ।
14ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ ।
15ସେହି ଲୋକ ଚାଲିଯାଇ, ଯେ ତାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୂଦୀମାନଙ୍କୁ କହିଲା ।
16ତେଣୁ ଯୀଶୁ ବିଶ୍ରାମବାରରେ ଏହା କରୁଥିବାରୁ ଯିହୂଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ ।
17ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି ।
18ଏହି କାରଣରୁ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ ।
19ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରି ପାରନ୍ତି ନାହିଁ । କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହି ସବୁ ସେପ୍ରକାରେ କରନ୍ତି ।
20କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହି ସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥି ନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ‍ ମହତ‍ କର୍ମ ଦେଖାଇବେ ।
21ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି ।
22ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି ।
23ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ ।
24ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି ।

Read ଯୋହନ 5ଯୋହନ 5
Compare ଯୋହନ 5:2-24ଯୋହନ 5:2-24