Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 4

ଯୋହନ 4:23-44

Help us?
Click on verse(s) to share them!
23କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି ।
24ଈଶ୍ୱର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ ।
25ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ ।
26ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ ।
27ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କ'ଣ ଚାହାଁନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ ।
28ସେଥିରେ ସେହି ସ୍ତ୍ରୀ ଆପଣା ଜଳପାତ୍ର ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
29ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା ?
30ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ ।
31ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହେଉନ୍ତୁ ।
32କିନ୍ତୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି ।
33ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା ?
34ଯୀଶୁ ସେମାନଙ୍କୁ କହିଲେ, ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ ।
35ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହି ସବୁ କଟାଯିବା ନିମନ୍ତେ ପାଚିଗଲାଣି ।
36ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି ।
37କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ ।
38ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ ।
39ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।
40ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ ।
41ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ;
42ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ ।
43ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ ।
44କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ ।

Read ଯୋହନ 4ଯୋହନ 4
Compare ଯୋହନ 4:23-44ଯୋହନ 4:23-44