Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 19

ଯୋହନ 19:17-34

Help us?
Click on verse(s) to share them!
17ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‍ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ ।
18ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଚଢ଼ାଇଲେ, ଦୁଇ ପାଖରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ ।
19ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ । ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା ।
20ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା ।
21ତେଣୁ ଯିହୂଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୂଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୂଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ ।
22ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ ।
23ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ । ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା ।
24ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ । ତେଣୁ ସୈନ୍ୟମାନେ ଏହାସବୁ କଲେ ।
25କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଗ୍ନୀ, କ୍ଳୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍‍ଦଲୀନୀ ମରିୟମ ଠିଆ ହୋଇଥିଲେ ।
26ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର !
27ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, ଦେଖ, ତୁମ୍ଭର ମାତା ! ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ ।
28ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି ।
29ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ସ୍ପଞ୍ଜ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ ।
30ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା; ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ ।
31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାରରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୂଦୀମାନେ ପୀଲାତଙ୍କୁ ଅନୁରୋଧ କଲେ ।
32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ ।
33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ,
34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା ।

Read ଯୋହନ 19ଯୋହନ 19
Compare ଯୋହନ 19:17-34ଯୋହନ 19:17-34