Text copied!
CopyCompare
ଓଡିଆ ବାଇବେଲ - ଯୋହନ - ଯୋହନ 11

ଯୋହନ 11:6-49

Help us?
Click on verse(s) to share them!
6ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ ।
7ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦା ପ୍ରଦେଶକୁ ଯିବା ।
8ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୂଦୀମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି ?
9ଯୀଶୁ ଉତ୍ତର ଦେଲେ, ଦିନରେ କ'ଣ ବାର ଘଣ୍ଟା ନାହିଁ ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ;
10କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ ।
11ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି ।
12ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ ।
13ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ ।
14ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟରୂପେ କହିଲେ, ଲାଜାର ମରିଯାଇଛନ୍ତି;
15ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାଙ୍କ ନିକଟକୁ ଯିବା ।
16ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା ।
17ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି ।
18ବେଥନୀୟା ଯିରୂଶାଲମ ନିକଟରେ ଥିଲା, ପ୍ରାୟ ଏକ କ୍ରୋଶ ଦୂର;
19ଆଉ, ଯିହୂଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ ।
20ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରିୟମ ଗୃହରେ ବସି ରହିଲେ ।
21ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥା'ନ୍ତା ।
22କିନ୍ତୁ ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ, ଈଶ୍ୱର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ ।
23ଯୀଶୁ ତାଙ୍କୁ କହିଲେ, ତୁମ୍ଭ ଭାଇ ପୁଣି, ଉଠିବ ।
24ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ ।
25ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ,
26ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ ?
27ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ ।
28ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରିୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି ।
29ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ ।
30ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ ।
31ଅତଏବ, ଯେଉଁ ଯିହୂଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରିୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାଙ୍କ ପଛେ ପଛେ ଗଲେ ।
32ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋ' ଭାଇ ମରି ନ ଥା'ନ୍ତା ।
33ଅତଏବ, ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଯିହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଆଲୋଡିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ,
34ତାଙ୍କୁ କେଉଁଠାରେ ରଖିଅଛ ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ ।
35ଯୀଶୁ କାନ୍ଦିଲେ ।
36ସେଥିରେ ଯିହୂଦୀମାନେ କହିଲେ, ଦେଖ, ସେ ତାଙ୍କୁ କିପରି ସ୍ନେହ କରୁଥିଲେ ।
37କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ, ସେ କ'ଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରି ପାରି ନ ଥାଆନ୍ତେ ?
38ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତା' ମୁହଁରେ ଗୋଟାଏ ପଥର ଥିଲା ।
39ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି ।
40ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ'ଣ ମୁଁ ତୁମ୍ଭକୁ କହିଲି ନାହିଁ ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ ।
41ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ।
42ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି ।
43ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ ।
44ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ ।
45ଅତଏବ, ଯିହୂଦୀମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରିୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ;
46ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହି ସବୁ ସେମାନଙ୍କୁ ଜଣାଇଲେ ।
47ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କ'ଣ କରୁଅଛୁ ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି ।
48ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ ।
49କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ;

Read ଯୋହନ 11ଯୋହନ 11
Compare ଯୋହନ 11:6-49ଯୋହନ 11:6-49