Text copied!
CopyCompare
ଓଡିଆ ବାଇବେଲ - ଯିହୋଶୂୟ - ଯିହୋଶୂୟ 10

ଯିହୋଶୂୟ 10:15-42

Help us?
Click on verse(s) to share them!
15ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍‍ଗଲ୍‍-ଛାଉଣିକୁ ନେଉଟି ଆସିଲେ।
16ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍‍କେଦା ଗୁମ୍ଫାରେ ଆପଣାମାନଙ୍କୁ ଲୁଚାଇଲେ।
17ତହୁଁ ସେହି ପାଞ୍ଚ ରାଜା ମକ୍‍କେଦା ଗୁମ୍ଫାରେ ଲୁଚି ରହିଅଛନ୍ତି, ଏ କଥା ଯିହୋଶୂୟଙ୍କୁ କୁହାଯା’ନ୍ତେ,
18ଯିହୋଶୂୟ କହିଲେ, ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର।
19ମାତ୍ର ତୁମ୍ଭେମାନେ ସ୍ଥଗିତ ହୋଇ ରୁହ ନାହିଁ; ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକମାନଙ୍କୁ ଉଚ୍ଛିନ୍ନ କର; ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।
20ଏଥିରେ ଯିହୋଶୂୟ ଓ ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀରବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ।
21ତହୁଁ ସମସ୍ତ ଲୋକ ମକ୍‍କେଦା ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ ସନ୍ତାନଗଣର କାହାରି ପ୍ରତିକୂଳରେ କେହି ମୁଖ ଖୋଲିବା ପାଇଁ ସାହସ କଲେ ନାହିଁ।
22ଏଥିଉତ୍ତାରେ ଯିହୋଶୂୟ କହିଲେ, ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।
23ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ।
24ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ। ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
25ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ।
26ଏଉତ୍ତାରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ; ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ।
27ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇ ଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି।
28ଏଥିଉତ୍ତାରେ ଯିହୋଶୂୟ ସେହି ଦିନ ମକ୍‍କେଦା ହସ୍ତଗତ କରି ଖଡ୍ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ; ସେ ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; କାହାକୁ ଅବଶିଷ୍ଟ ରଖିଲେ ନାହିଁ; ପୁଣି ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ମକ୍‍କେଦା ରାଜା ପ୍ରତି କଲେ।
29ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍‍କେଦାରୁ ଲିବ୍‍ନାକୁ ଗଲେ ଓ ଲିବ୍‍ନା ପ୍ରତିକୂଳରେ ଯୁଦ୍ଧ କଲେ;
30ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।
31ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବ୍‍ନାରୁ ଲାଖୀଶ୍‍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
32ତହିଁରେ ସଦାପ୍ରଭୁ ଲାଖୀଶ୍‍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖୀଶ୍‍ ଆକ୍ରମଣ କରି ଯେପରି ଲିବ୍‍ନା ପ୍ରତି କରିଥିଲେ, ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ।
33ସେ ସମୟରେ ଗେଷର୍‍ର ରାଜା ହୋରମ୍‍ ଲାଖୀଶ୍‍ର ସହାୟତା କରିବାକୁ ଆସିଥିଲା; ତେଣୁ ଯିହୋଶୂୟ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ।
34ତହୁଁ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖୀଶ୍‍ରୁ ଇଗ୍ଲୋନ୍‍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।
35ପୁଣି ସେହି ଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ୍ଗଧାରରେ ଆଘାତ କଲେ ଓ ସେ ଯେପରି ଲାଖୀଶ୍‍ ପ୍ରତି କରିଥିଲେ, ସେପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ସେହି ଦିନ ବର୍ଜିତ ରୂପେ ବିନାଶ କଲେ।
36ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍‍ରୁ ହିବ୍ରୋଣକୁ ଗଲେ ଓ ସେମାନେ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ;
37ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ, ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ; ଯେପରି ସେ ଇଗ୍ଲୋନ୍‍ ପ୍ରତି କରିଥିଲେ, ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
38ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବୀରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ।
39ପୁଣି, ସେ ତାହା ଓ ତହିଁର ରାଜା ଓ ତହିଁର ନଗରସବୁ ହସ୍ତଗତ କଲେ; ଆଉ ସେମାନେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ଯେପରି ସେ ହିବ୍ରୋଣ ପ୍ରତି, ମଧ୍ୟ ଲିବ୍‍ନା ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବୀର ଓ ତହିଁର ରାଜା ପ୍ରତି କଲେ।
40ଏହିରୂପେ ଯିହୋଶୂୟ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ ଓ ତଳଭୂମି ଓ ଅଧିତ୍ୟକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ; ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ନିଃଶ୍ୱାସପ୍ରଶ୍ୱାସଧାରୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
41ପୁଣି ଯିହୋଶୂୟ କାଦେଶ-ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବୀୟୋନ୍‍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
42ପୁଣି ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣକୁ ଏକାବେଳେ ହସ୍ତଗତ କଲେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।

Read ଯିହୋଶୂୟ 10ଯିହୋଶୂୟ 10
Compare ଯିହୋଶୂୟ 10:15-42ଯିହୋଶୂୟ 10:15-42