1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2“କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, ଅର୍ଥାତ୍, ଗଚ୍ଛିତ ବା ହସ୍ତରେ ସମର୍ପିତ କିଅବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ;
3କିଅବା ହଜାଦ୍ରବ୍ୟ ପାଇ ତଦ୍ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ; ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ;
4ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,
5ଅବା ଯେକୌଣସି ବିଷୟରେ ମିଥ୍ୟା ଶପଥ କରିଅଛି, ସେହି ସବୁ ଦ୍ରବ୍ୟ ଫେରାଇ ଦେବ; ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ଓ ତହିଁ ସଙ୍ଗେ ତହିଁର ପଞ୍ଚମାଂଶ ଅଧିକ ଫେରାଇ ଦେବ; ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ସେହି ଦ୍ରବ୍ୟର ମାଲିକକୁ ତାହା ଦେବ।
6ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାର ଦୋଷାର୍ଥକ ବଳି ଉତ୍ସର୍ଗ କରିବ; ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ନିମନ୍ତେ ଯାଜକ ନିକଟକୁ ଆଣିବ।
7ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”
8ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
9“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳିର ବ୍ୟବସ୍ଥା ଏହି; ହୋମଦ୍ରବ୍ୟ ସମସ୍ତ ରାତ୍ରି, ପ୍ରଭାତ ପର୍ଯ୍ୟନ୍ତ ବେଦିର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦିର ଅଗ୍ନି ପ୍ରଜ୍ୱଳିତ ରହିବ।
10ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନି ଦଗ୍ଧ ହୋମବଳିର ଭସ୍ମ ଉଠାଇ ବେଦି ପାର୍ଶ୍ୱରେ ରଖିବ।
11ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇ ଯିବ।
12ମାତ୍ର ବେଦିର ଉପରିସ୍ଥ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା ଲିଭିବ ନାହିଁ; ଯାଜକ ପ୍ରତ୍ୟେକ ପ୍ରଭାତରେ ତହିଁ ଉପରେ କାଷ୍ଠ ଜାଳିବ; ପୁଣି ସେ ତହିଁ ଉପରେ ହୋମବଳି ସଜାଇ ରଖିବ ଓ ମଙ୍ଗଳାର୍ଥକ ବଳିର ମେଦ ତହିଁ ଉପରେ ଦଗ୍ଧ କରିବ।
13ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା କଦାପି ଲିଭିବ ନାହିଁ।
14ଆଉ ଭକ୍ଷ୍ୟ ନୈବେଦ୍ୟର ବ୍ୟବସ୍ଥା ଏହି; ହାରୋଣର ପୁତ୍ରଗଣ ବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବେ।