Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27:2-28

Help us?
Click on verse(s) to share them!
2“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ମାନତ ପୂର୍ଣ୍ଣ କରିବାକୁ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପ୍ରାଣୀସକଳ ସଦାପ୍ରଭୁଙ୍କର ହେବେ।
3ପୁରୁଷ ହେଲେ, କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ବୟସ ପର୍ଯ୍ୟନ୍ତ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଚାଶ ଶେକଲ ରୂପା ହେବ।
4ପୁଣି ସ୍ତ୍ରୀ ହେଲେ, ତୁମ୍ଭ ନିରୂପିତ ମୂଲ୍ୟ ତିରିଶ ଶେକଲ ରୂପା ହେବ।
5ଆଉ ପାଞ୍ଚ ବର୍ଷଠାରୁ କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ କୋଡ଼ିଏ ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ।
6ଆଉ ଏକ ମାସଠାରୁ ପାଞ୍ଚ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ହେବ ଓ ସ୍ତ୍ରୀ ନିମନ୍ତେ ତୁମ୍ଭର ନିରୂପିତ ମୂଲ୍ୟ ତିନି ଶେକଲ ରୂପା ହେବ।
7ପୁଣି ଷାଠିଏ ବର୍ଷଠାରୁ ଅଧିକ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପନ୍ଦର ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ହେବ।
8ମାତ୍ର ସେ ତୁମ୍ଭର ନିରୂପିତ ମୂଲ୍ୟ ଅପେକ୍ଷା ଦରିଦ୍ର ହେଲେ, ଯାଜକ ସମ୍ମୁଖକୁ ଅଣାଯିବ, ତହୁଁ ଯାଜକ ତାହାର ମୂଲ୍ୟ ନିରୂପଣ କରିବ; ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।
9ଆଉ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରନ୍ତି, ତାହା ପଶୁ ହେଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ସେହିସବୁ ପଶୁ ପବିତ୍ର ହେବ।
10ସେ ତାହା ଅନ୍ୟଥା କି ପରିବର୍ତ୍ତନ କରିବ ନାହିଁ; ମନ୍ଦ ପାଲଟେ ଭଲ, କି ଭଲ ପାଲଟେ ମନ୍ଦ ଦେବ ନାହିଁ; ଯଦି ସେ କୌଣସିମତେ ପଶୁର ପାଲଟେ ପଶୁ ଦେବ, ତେବେ ତାହା ଓ ତହିଁ ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ।
11ଆଉ ଯାହା ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରାଯାଏ ନାହିଁ, ଏପରି କୌଣସି ଅଶୁଚି ପଶୁ ଯଦି ଦିଆଯାଏ, ତେବେ ସେ ସେହି ପଶୁକୁ ଯାଜକ ସମ୍ମୁଖରେ ଉପସ୍ଥିତ କରିବ।
12ପୁଣି ସେହି ପଶୁ ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ତୁମ୍ଭର, ଅର୍ଥାତ୍‍, ଯାଜକର ନିରୂପଣ ଅନୁସାରେ ତହିଁର ମୂଲ୍ୟ ହେବ।
13ମାତ୍ର, ଯଦି ସେ କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
14ଆଉ, ଯଦି କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ଆପଣା ଗୃହ ପ୍ରତିଷ୍ଠା କରେ, ତେବେ ତାହା ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ଯାଜକ ତହିଁର ଯେଉଁ ମୂଲ୍ୟ ନିରୂପଣ କରିବ, ତାହା ସ୍ଥିର ହେବ।
15ଆଉ, ଯଦି ଗୃହ ପ୍ରତିଷ୍ଠାକାରୀ ଆପଣା ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
16ଆଉ, ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କୌଣସି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ, ତେବେ ତୁମ୍ଭର ମୂଲ୍ୟ ନିରୂପଣ ସେହି କ୍ଷେତ୍ରରେ ବୁଣିବା ନିମନ୍ତେ ଆବଶ୍ୟକୀୟ ପରିମାଣର ବିହନ ଅନୁସାରେ ହେବ; ଏକ ହୋମର ପରିମିତ ଯବ ବିହନର ମୂଲ୍ୟ ପଚାଶ ଶେକଲ ରୂପା ହେବ।
17ଯଦି ସେ ଯୁବ୍‍ଲୀ ବର୍ଷଠାରୁ ଆପଣା କ୍ଷେତ୍ର ଶୁଚି କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ।
18ମାତ୍ର, ଯଦି ସେ ଯୁବ୍‍ଲୀ ଉତ୍ତାରେ ଆପଣା କ୍ଷେତ୍ର ଶୁଚି କରେ, ତେବେ ଯାଜକ ଯୁବ୍‍ଲୀ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟାନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ, ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଊଣା କରାଯିବ।
19ଆଉ ସେହି କ୍ଷେତ୍ର ଶୁଚିକାରୀ ଲୋକ ଯଦି କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ରୂପାର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
20ମାତ୍ର ଯଦି ସେ ଆପଣା କ୍ଷେତ୍ର ମୁକ୍ତ ନ କରେ, କିଅବା ଯଦି ସେ ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରେ, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ।
21ମାତ୍ର ସେହି କ୍ଷେତ୍ର ଯୁବ୍‍ଲୀ ସମୟରେ ମୁକ୍ତ ହେଲେ, ତାହା ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁରେ ସେହି କ୍ଷେତ୍ର ଯାଜକର ଅଧିକାର ହେବ।
22ଆଉ ଯେଉଁ କ୍ଷେତ୍ର ଆପଣାର ସମ୍ପତ୍ତି ନୁହେଁ, ତାହା କେହି ଯଦି କ୍ରୟ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ;
23ତେବେ ଯାଜକ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ଯୁବ୍‍ଲୀ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ; ପୁଣି ସେ ସେହିଦିନ ତୁମ୍ଭର ନିରୂପିତ ମୂଲ୍ୟ ଦେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବସ୍ତୁ ତୁଲ୍ୟ।
24ଯାହାଠାରୁ ସେହି କ୍ଷେତ୍ର କ୍ରୟ କରାଗଲା, ଅର୍ଥାତ୍‍, ଭୂମି ଯାହାର ସମ୍ପତ୍ତି ଅଟେ, ତାହା ଯୁବ୍‍ଲୀ ବର୍ଷରେ ତାହାକୁ ଫେରାଇ ଦିଆଯିବ।
25ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ; କୋଡ଼ିଏ ଗେରାରେ ଏକ ଶେକଲ ହୁଏ।
26ପଶୁମାନଙ୍କ ମଧ୍ୟରେ କେବଳ ପ୍ରଥମଜାତ ପଶୁ, ଯାହା ସଦାପ୍ରଭୁଙ୍କର ପ୍ରଥମଜାତ ହୁଏ, ତାହା କୌଣସି ମନୁଷ୍ୟ ଶୁଚି କରିବ ନାହିଁ; ଗୋରୁ କି ମେଷ ହେଉ, ତାହା ସଦାପ୍ରଭୁଙ୍କର ଅଟେ।
27ପୁଣି ଯଦି ତାହା ଅଶୁଚି ପଶୁ ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ, ପୁଣି ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ; ମୁକ୍ତ କରା ନ ଗଲେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ବିକ୍ରୀତ ହେବ।
28ଆଉ କୌଣସି ମନୁଷ୍ୟ ଆପଣା ସର୍ବସ୍ୱରୁ, ଅର୍ଥାତ୍‍, ମନୁଷ୍ୟ କି ପଶୁ କି ଅଧିକୃତ କ୍ଷେତ୍ରରୁ ଯାହା କିଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ଏପରି କୌଣସି ଉତ୍ସର୍ଗିତ ବସ୍ତୁ ବିକ୍ରୀତ ବା ମୁକ୍ତ ହେବ ନାହିଁ; ପ୍ରତ୍ୟେକ ଉତ୍ସର୍ଗିତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27:2-28ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27:2-28