Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 26

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 26:11-42

Help us?
Click on verse(s) to share them!
11ଆଉ ଆମ୍ଭେ ଆପଣା ଆବାସ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ ନାହିଁ।
12ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନାଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ।
13ତୁମ୍ଭେମାନେ ଯେପରି ସେମାନଙ୍କର ଦାସ ନ ହେବ, ଏଥିପାଇଁ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆମ୍ଭେ ଅଟୁ; ଆମ୍ଭେ ତୁମ୍ଭମାନଙ୍କ ଯୁଆଳିର ଯୋତ ଭାଙ୍ଗିଅଛୁ ଓ ତୁମ୍ଭମାନଙ୍କୁ ସିଧା ଚାଲିବାକୁ ଦେଇଅଛୁ।
14ମାତ୍ର, ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ଓ ସେହି ସକଳ ଆଜ୍ଞା ପାଳନ ନ କରିବ;
15ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ,
16ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପେ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବ୍ୟାକୁଳତା ନିରୂପଣ କରିବା; ଅର୍ଥାତ୍‍, ଯକ୍ଷ୍ମା ଓ ଜ୍ୱର, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ।
17ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରାସ୍ତ ହେବ; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ଓ କେହି ତୁମ୍ଭମାନଙ୍କ ପଛେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ପଳାଇଯିବ।
18ଆଉ ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଅଧିକ ଦଣ୍ଡ ଦେବା।
19ପୁଣି ଆମ୍ଭେ ତୁମ୍ଭମାନଙ୍କ ବଳର ଗର୍ବ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶ ଲୌହ ତୁଲ୍ୟ ଓ ଭୂମି ପିତ୍ତଳ ତୁଲ୍ୟ କରିବା।
20ତହିଁରେ ତୁମ୍ଭେମାନେ ବୃଥାରେ ବଳ ବ୍ୟୟ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷସକଳ ଫଳ ଉତ୍ପନ୍ନ କରିବ ନାହିଁ।
21ଆଉ, ଯଦି ତୁମ୍ଭେମାନେ ଆମ୍ଭର ବିରୁଦ୍ଧାଚରଣ କରି ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହେବ; ତେବେ ଆମ୍ଭେ ତୁମ୍ଭମାନଙ୍କ ପାପ ଅନୁସାରେ ତୁମ୍ଭମାନଙ୍କୁ ସାତ ଗୁଣ କ୍ଲେଶ ଦେବା।
22ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ବନ୍ୟ ପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନହୀନ କରିବେ ଓ ତୁମ୍ଭମାନଙ୍କ ପଶୁମାନଙ୍କୁ ବିନଷ୍ଟ କରିବେ, ପୁଣି ତୁମ୍ଭମାନଙ୍କୁ ଅଳ୍ପସଂଖ୍ୟକ କରିବେ; ଆଉ ତୁମ୍ଭମାନଙ୍କ ରାଜପଥସକଳ ଜନମାନବ ଶୂନ୍ୟ ହେବ।
23ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ,
24ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ତୁମ୍ଭମାନଙ୍କୁ ପ୍ରହାର କରିବା, ଆମ୍ଭେ ନିଜେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ପ୍ରହାର କରିବା।
25ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ଦେବ ଓ ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା; ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ।
26ଆମ୍ଭେ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗିଲେ ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୁଟି ରନ୍ଧନ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୁଟି ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।
27ଏହା ହେଲେ ହେଁ ଯଦି ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ;
28ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଶାସ୍ତି ଦେବା।
29ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ଓ କନ୍ୟାଗଣର ମାଂସ ଭୋଜନ କରିବ।
30ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।
31ଆମ୍ଭେ ତୁମ୍ଭମାନଙ୍କ ନଗରସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନସକଳ ଶୂନ୍ୟ କରିବା ଓ ଆମ୍ଭେ ତୁମ୍ଭମାନଙ୍କର (ଦତ୍ତ) ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।
32ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କ ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟ ଜ୍ଞାନ କରିବେ।
33ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍‍ ଖଡ୍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ।
34ତେବେ ଯେପର୍ଯ୍ୟନ୍ତ ଦେଶ ଶୂନ୍ୟସ୍ଥାନ ହୋଇଥିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣର ଦେଶରେ ରହିବ, ସେପର୍ଯ୍ୟନ୍ତ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ; ଅର୍ଥାତ୍‍, ସେହି ସମୟରେ ଭୂମି ବିଶ୍ରାମ କରି ଆପଣା ବିଶ୍ରାମ ଗ୍ରହଣ କରିବ।
35ଯେତେକାଳ ତାହା ଶୂନ୍ୟସ୍ଥାନ ହୋଇ ରହିବ, ସେତେକାଳ ତାହା ବିଶ୍ରାମ ପାଇବ; ଅର୍ଥାତ୍‍, ତୁମ୍ଭେମାନେ ତହିଁ ମଧ୍ୟରେ ବାସ କରିବା ସମୟରେ ତୁମ୍ଭମାନଙ୍କ ବିଶ୍ରାମ କାଳରେ ତାହା ଯେଉଁ ବିଶ୍ରାମ ପାଇ ନ ଥିଲା, ତାହା ପାଇବ।
36ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେତେ ଅବଶିଷ୍ଟ ରହିବେ, ଆମ୍ଭେ ଶତ୍ରୁଗଣର ଦେଶରେ ସେମାନଙ୍କ ହୃଦୟରେ ଭୀରୁତା ପଠାଇବା ଯଦ୍ଦ୍ୱାରା (ବାୟୁରେ) ଚାଳିତ ପତ୍ରର ଶବ୍ଦ ମଧ୍ୟ ସେମାନଙ୍କୁ ଘଉଡ଼ାଇ ଦେବ; ପୁଣି ଖଡ୍ଗଧାରରୁ ପଳାଇଲା ଲୋକ ପରି ସେମାନେ ପଳାଇବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ।
37ପୁଣି କେହି ନ ଗୋଡ଼ାଇଲେ ହେଁ ଯେପରି ଖଡ୍ଗ ସମ୍ମୁଖରେ, ସେପରି ସେମାନେ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ ଓ ଶତ୍ରୁଗଣ ସମ୍ମୁଖରେ ଠିଆ ହେବା ପାଇଁ ସେମାନଙ୍କର ବଳ ପାଇବ ନାହିଁ।
38ଆଉ ତୁମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ।
39ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଆପଣା ଆପଣା ଅପରାଧ ସକାଶୁ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶରେ କ୍ଷୟ ପାଇବେ ଓ ମଧ୍ୟ ସେମାନେ ଆପଣା ଆପଣା ପିତୃଗଣର ଅପରାଧ ସକାଶୁ ସେମାନଙ୍କ ସଙ୍ଗରେ କ୍ଷୟ ପାଇବେ।
40ଆଉ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ସେମାନେ ଓ ସେମାନଙ୍କ ପିତୃଗଣ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କଲେ, ଆପଣାମାନଙ୍କର ସେହି ଅପରାଧ;
41ଓ ମଧ୍ୟ ସେମାନେ ଆମ୍ଭର ବିରୁଦ୍ଧାଚରଣ କରିବା ହେତୁ ଆମ୍ଭେ ହିଁ ଯେ ସେମାନଙ୍କର ବିରୁଦ୍ଧାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ; ତହିଁରେ ଯଦି ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ;
42ତେବେ ଆମ୍ଭେ ଯାକୁବ ସହିତ ଆପଣା ନିୟମ ସ୍ମରଣ କରିବା ଓ ମଧ୍ୟ ଇସ୍‍ହାକ ସହିତ ଆପଣା ନିୟମ ଓ ମଧ୍ୟ ଅବ୍ରହାମ ସହିତ ଆପଣା ନିୟମ ସ୍ମରଣ କରିବା; ପୁଣି ଆମ୍ଭେ ଦେଶକୁ ସ୍ମରଣ କରିବା।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 26ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 26
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 26:11-42ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 26:11-42