46ପୁଣି, ତୁମ୍ଭେମାନେ ଆପଣା ଉତ୍ତାରେ ଆପଣା ଭବିଷ୍ୟତ ସନ୍ତାନଗଣର ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତି ରୂପେ ସେମାନଙ୍କୁ ଦେଇ ପାରିବ; ତୁମ୍ଭେମାନେ ସେମାନଙ୍କୁ ନିତ୍ୟ ଆପଣାମାନଙ୍କର ଦାସ୍ୟକର୍ମ କରାଇ ପାରିବ; ମାତ୍ର ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତା ଇସ୍ରାଏଲ ସନ୍ତାନଗଣ ଉପରେ ପରସ୍ପର କଠିନ କର୍ତ୍ତୃତ୍ୱ କରିବ ନାହିଁ।
47ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀ କି ପ୍ରବାସୀ ଲୋକର ହସ୍ତ ଧନରେ ବଢ଼େ, ପୁଣି, ତାହାର ନିକଟବର୍ତ୍ତୀ ତୁମ୍ଭର ଭ୍ରାତା ଦରିଦ୍ର ହୋଇଯାଏ ଓ ସେହି ବିଦେଶୀ କି ପ୍ରବାସୀ କିଅବା ସେହି ବିଦେଶୀ ବଂଶରୁ ଉତ୍ପନ୍ନ କାହାରି ନିକଟରେ ଆପଣାକୁ ବିକ୍ରୟ କରେ;
48ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ।
49କିଅବା ତାହାର ପିତୃବ୍ୟ କି ପିତୃବ୍ୟପୁତ୍ର ତାହାକୁ ମୁକ୍ତ କରି ପାରିବ, ଅବା ତାହାର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାହାକୁ ମୁକ୍ତ କରି ପାରିବ; ଅବା ଯଦି ତାହାର ହସ୍ତ ଧନରେ ବୃଦ୍ଧି ପାଏ, ତେବେ ସେ ଆପଣାକୁ ମୁକ୍ତ କରି ପାରିବ।
50ତହିଁରେ ତାହାର ବିକ୍ରୟ ବର୍ଷଠାରୁ ଯୁବ୍ଲୀ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟାନୁସାରେ ତାହାର ମୂଲ୍ୟ ହେବ; ବେତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ କାଳ ହେବ।
51ଯଦି ଅନେକ ବର୍ଷ ବାକି ଥାଏ, ତେବେ ତଦନୁସାରେ ସେ କ୍ରୟମୂଲ୍ୟରୁ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ।
52ଆଉ ଯଦି ଯୁବ୍ଲୀ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ, ତେବେ ସେ ତାହା ସହିତ ଗଣନା କରିବ; ସେହି ସେହି ବର୍ଷାନୁସାରେ ସେ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ।