Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:20-51

Help us?
Click on verse(s) to share them!
20ଆଉ ତୁମ୍ଭେମାନେ ଯଦି କହିବ, ଦେଖ, ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କଅଣ ଖାଇବୁ ?
21ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା, ତହିଁରେ ତାହା ତିନି ବର୍ଷର ଫଳ ଉତ୍ପନ୍ନ କରିବ।
22ପୁଣି, ଅଷ୍ଟମ ବର୍ଷରେ ତୁମ୍ଭେମାନେ ବୁଣିବ ଓ ପୁରାତନ ଶସ୍ୟ ଖାଇବ; ନବମ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପନ୍ନ ହେବା ପର୍ଯ୍ୟନ୍ତ, ତୁମ୍ଭେମାନେ ପୁରାତନ ଶସ୍ୟ ଭୋଜନ କରିବ।
23ଆଉ, ଭୂମି ସଦାକାଳ ନିମନ୍ତେ ବିକ୍ରୟ କରାଯିବ ନାହିଁ; କାରଣ ଭୂମି ଆମ୍ଭର; ତୁମ୍ଭେମାନେ ଆମ୍ଭ ସହିତ ବିଦେଶୀ ଓ ପ୍ରବାସୀ ଅଟ।
24ଆଉ, ତୁମ୍ଭେମାନେ ଆପଣାମାନଙ୍କ ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ।
25ଯଦି ତୁମ୍ଭର ଭ୍ରାତା ଦରିଦ୍ର ହୋଇ ଆପଣା ଅଧିକାରରୁ କିଛି ବିକ୍ରୟ କରେ, ତେବେ ତାହାର ମୁକ୍ତିକର୍ତ୍ତା ନିକଟସ୍ଥ ଜ୍ଞାତି ଆସି ଆପଣା ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ।
26ପୁଣି, ଯଦି ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ,
27ତେବେ ସେ ତହିଁର ବିକ୍ରୟ ବର୍ଷ ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ; ତହିଁରେ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
28ମାତ୍ର ଯଦି ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକ୍ରୟ କରିଅଛି, ତାହା ଯୁବ୍‍ଲୀ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୁବ୍‍ଲୀ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
29ଆଉ, ଯଦି କେହି ପ୍ରାଚୀରବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ; ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ସେ ତାହା ମୁକ୍ତ କରିବାର ଅଧିକାର ପାଇବ।
30ମାତ୍ର ଯଦି ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀରବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୁବ୍‍ଲୀ ସମୟରେ ତାହା ମୁକ୍ତ ହେବ ନାହିଁ।
31ମାତ୍ର ପ୍ରାଚୀରହୀନ ଗ୍ରାମର ମଧ୍ୟବର୍ତ୍ତୀ ଗୃହଗୁଡ଼ିକ ଦେଶର କ୍ଷେତ୍ର ମଧ୍ୟରେ ଗଣାଯିବ ତାହା ମୁକ୍ତ ହୋଇପାରେ, ପୁଣି ଯୁବ୍‍ଲୀ ସମୟରେ ତାହା ମୁକ୍ତ ହେବ।
32ମାତ୍ର ଲେବୀୟମାନଙ୍କର ନଗରସକଳ, ସେମାନଙ୍କ ଅଧିକୃତ ନଗରର ଗୃହସକଳ ମୁକ୍ତ କରିବାର ଅଧିକାର ଲେବୀୟମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ।
33ପୁଣି, ଯଦି କେହି ଲେବୀୟମାନଙ୍କଠାରୁ ତାହା ମୁକ୍ତ କରେ, ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ଯୁବ୍‍ଲୀ ସମୟରେ ମୁକ୍ତ ହେବ; କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଲେବୀୟମାନଙ୍କ ଗୃହସକଳ ସେମାନଙ୍କର ଅଧିକାର।
34ମାତ୍ର ସେମାନଙ୍କ ନଗରର ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ; କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର।
35ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମ୍ଭେ ତାହାକୁ ଧରି ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନଯାପନ କରିବ।
36ତୁମ୍ଭେ ତାହାଠାରୁ ସୁଧ କି ଦେଢ଼ି (ଦେଢ଼ଗୁଣ ସୁଧହାର) ନିଅ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର; ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନଯାପନ କରିବ।
37ତୁମ୍ଭେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଅବା ଦେଢ଼ି (ଦେଢ଼ଗୁଣ ସୁଧହାର) ପାଇଁ ତାହାକୁ ଆପଣା ଅନ୍ନ ଦେବ ନାହିଁ।
38ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ପାଇଁ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିସର ଦେଶରୁ ବାହାର କରି ଆଣିଲେ, ତୁମ୍ଭମାନଙ୍କର ପରମେଶ୍ୱର ସେହି ସଦାପ୍ରଭୁ ଆମ୍ଭେ ଅଟୁ।
39ଆଉ ଯଦି ତୁମ୍ଭ ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ଆପଣାକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା ଦାସ ପରି ପରିଶ୍ରମ କରାଇବ ନାହିଁ।
40ସେ ବେତନଜୀବୀ ଓ ପ୍ରବାସୀ ନ୍ୟାୟ ତୁମ୍ଭ ସହିତ ବାସ କରିବ; ସେ ଯୁବ୍‍ଲୀ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ।
41ତହୁଁ ସେ ଆପଣା ସନ୍ତାନଗଣ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ଆପଣା ବଂଶ ନିକଟକୁ ଓ ତାହାର ପୈତୃକ ଅଧିକାରକୁ ଫେରିଯିବ।
42କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ସେମାନେ ବନ୍ଧାଦାସ ତୁଲ୍ୟ ବିକ୍ରୀତ ହେବେ ନାହିଁ।
43ତୁମ୍ଭେ ତାହା ଉପରେ କଠିନ କର୍ତ୍ତୃତ୍ୱ କରିବ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କରିବ।
44ତୁମ୍ଭର ବନ୍ଧା ଦାସ ଓ ବନ୍ଧା ଦାସୀ ରଖିବାର ହେଲେ, ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ ବନ୍ଧା ଦାସ ଓ ବନ୍ଧା ଦାସୀ କ୍ରୟ କରିବ।
45ଆହୁରି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ସନ୍ତାନଗଣଠାରୁ ଓ ତୁମ୍ଭମାନଙ୍କ ଦେଶରେ ସେମାନଙ୍କଠାରୁ ଉତ୍ପନ୍ନ ଯେଉଁ ଯେଉଁ ବଂଶ ତୁମ୍ଭମାନଙ୍କର ସହବର୍ତ୍ତୀ ଥା’ନ୍ତି, ସେମାନଙ୍କଠାରୁ କ୍ରୟ କରିବ, ପୁଣି, ସେମାନେ ତୁମ୍ଭମାନଙ୍କର ଅଧିକାର ହେବେ।
46ପୁଣି, ତୁମ୍ଭେମାନେ ଆପଣା ଉତ୍ତାରେ ଆପଣା ଭବିଷ୍ୟତ ସନ୍ତାନଗଣର ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତି ରୂପେ ସେମାନଙ୍କୁ ଦେଇ ପାରିବ; ତୁମ୍ଭେମାନେ ସେମାନଙ୍କୁ ନିତ୍ୟ ଆପଣାମାନଙ୍କର ଦାସ୍ୟକର୍ମ କରାଇ ପାରିବ; ମାତ୍ର ତୁମ୍ଭେମାନେ ଆପଣାମାନଙ୍କ ଭ୍ରାତା ଇସ୍ରାଏଲ ସନ୍ତାନଗଣ ଉପରେ ପରସ୍ପର କଠିନ କର୍ତ୍ତୃତ୍ୱ କରିବ ନାହିଁ।
47ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀ କି ପ୍ରବାସୀ ଲୋକର ହସ୍ତ ଧନରେ ବଢ଼େ, ପୁଣି, ତାହାର ନିକଟବର୍ତ୍ତୀ ତୁମ୍ଭର ଭ୍ରାତା ଦରିଦ୍ର ହୋଇଯାଏ ଓ ସେହି ବିଦେଶୀ କି ପ୍ରବାସୀ କିଅବା ସେହି ବିଦେଶୀ ବଂଶରୁ ଉତ୍ପନ୍ନ କାହାରି ନିକଟରେ ଆପଣାକୁ ବିକ୍ରୟ କରେ;
48ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ।
49କିଅବା ତାହାର ପିତୃବ୍ୟ କି ପିତୃବ୍ୟପୁତ୍ର ତାହାକୁ ମୁକ୍ତ କରି ପାରିବ, ଅବା ତାହାର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାହାକୁ ମୁକ୍ତ କରି ପାରିବ; ଅବା ଯଦି ତାହାର ହସ୍ତ ଧନରେ ବୃଦ୍ଧି ପାଏ, ତେବେ ସେ ଆପଣାକୁ ମୁକ୍ତ କରି ପାରିବ।
50ତହିଁରେ ତାହାର ବିକ୍ରୟ ବର୍ଷଠାରୁ ଯୁବ୍‍ଲୀ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟାନୁସାରେ ତାହାର ମୂଲ୍ୟ ହେବ; ବେତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ କାଳ ହେବ।
51ଯଦି ଅନେକ ବର୍ଷ ବାକି ଥାଏ, ତେବେ ତଦନୁସାରେ ସେ କ୍ରୟମୂଲ୍ୟରୁ ଆପଣା ମୁକ୍ତିର ମୂଲ୍ୟ ଫେରାଇ ଦେବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:20-51ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:20-51