Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:22-57

Help us?
Click on verse(s) to share them!
22ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।
23ଆଉ, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକ ନିକଟକୁ ସେମାନଙ୍କୁ ଆଣିବ।
24ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍‍ ତୈଳ ନେବ; ପୁଣି, ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳାଇବ।
25ପୁଣି, ସେ ସେହି ଦୋଷାର୍ଥକ ବଳିର ମେଷବତ୍ସ ବଧ କରିବ; ଆଉ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେଇ ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ;
26ତହିଁ ଉତ୍ତାରେ ଯାଜକ ସେହି ତୈଳରୁ କିଛି ନେଇ ଆପଣା ବାମ ହସ୍ତ ପାପୁଲିରେ ଢାଳିବ;
27ଆଉ, ଯାଜକ ଆପଣା ଡାହାଣ ଅଙ୍ଗୁଳି ଦ୍ୱାରା ସେହି ବାମ ହସ୍ତସ୍ଥିତ ତୈଳରୁ କିଛି କିଛି ନେଇ ସଦାପ୍ରଭୁଙ୍କ ଛାମୁରେ ସାତ ଥର ଛିଞ୍ଚିବ;
28ତହୁଁ ଯାଜକ ଆପଣା ହସ୍ତସ୍ଥିତ ତୈଳ ନେଇ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ତାହାର ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ସ୍ଥାନରେ ଲଗାଇବ।
29ପୁଣି ଯାଜକ ଶୁଚିଯୋଗ୍ୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ପାଇଁ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ।
30ପୁଣି, ସେ ତାହାର ପ୍ରାପ୍ତିର ସାଧ୍ୟାନୁସାରେ ସେହି ଦୁଇ କପୋତ ଅବା ଦୁଇ ପାରାଛୁଆ ମଧ୍ୟରୁ ଗୋଟିଏ ଉତ୍ସର୍ଗ କରିବ;
31ଅର୍ଥାତ୍‍, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଭକ୍ଷ୍ୟ ନୈବେଦ୍ୟ ସହିତ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମ ବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ଶୁଚିଯୋଗ୍ୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
32ଯେଉଁ କୁଷ୍ଠରୋଗର ଘା’ଯୁକ୍ତ ଲୋକ ଆପଣାର ଶୁଚିକାର୍ଯ୍ୟ ସମ୍ବନ୍ଧୀୟ ଦ୍ରବ୍ୟ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ୟବସ୍ଥା।”
33ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
34“ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ ତୁମ୍ଭେମାନେ ପ୍ରବେଶ କଲେ, ଯେବେ ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶର କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ;
35ତେବେ ସେହି ଗୃହସ୍ୱାମୀ ଯାଜକ ନିକଟକୁ ଆସି କହିବ, ଯଥା, ମୋ’ ଗୃହରେ ଦାଗ ଥିଲା ପରି ମୋତେ ଦେଖାଯାଉଅଛି;
36ତହୁଁ ଗୃହର ସମସ୍ତ ଦ୍ରବ୍ୟ ଯେପରି ଅଶୁଚି ନ ହୁଏ, ଏଥିପାଇଁ ଯାଜକ ଦାଗ ଦେଖିବାକୁ ପ୍ରବେଶ କରିବା ପୂର୍ବେ ଗୃହ ଶୂନ୍ୟ କରିବାକୁ ଯାଜକ ଆଜ୍ଞା ଦେବ; ତହିଁ ଉତ୍ତାରୁ ଯାଜକ ଗୃହ ଦେଖିବାକୁ ପ୍ରବେଶ କରିବ।
37ପୁଣି, ସେ ସେହି ଦାଗ ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହର କାନ୍ଥରେ ଟୋଲାପୋଲା ହୋଇ ବସିଯାଇ ଅଳ୍ପ ଶାଗୁଆ ବର୍ଣ୍ଣ ବା ରକ୍ତ ବର୍ଣ୍ଣ ହୋଇଥାଏ, ପୁଣି ତାହା କାନ୍ଥର ନୀଚସ୍ଥ ଦେଖାଯାଏ,
38ତେବେ ଯାଜକ ଗୃହରୁ ବାହାର ହୋଇ ଦ୍ୱାର ନିକଟକୁ ଯିବ ଓ ସେହି ଗୃହକୁ ସାତ ଦିନ ବନ୍ଦ କରି ରଖିବ।
39ପୁଣି, ଯାଜକ ସପ୍ତମ ଦିନରେ ପୁନର୍ବାର ଆସି ଦେଖିବ; ପୁଣି ପ୍ରକୃତରେ, ଯଦି ଗୃହର କାନ୍ଥରେ ସେହି ଦାଗ ବଢ଼ିଥାଏ,
40ତେବେ ଯାଜକ ଦାଗଯୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ।
41ପୁଣି, ସେ ସେହି ଗୃହର ଭିତର ଚାରିଆଡ଼େ ଚଞ୍ଛାଇବ ଓ ସେହି ଚଞ୍ଛା ଧୂଳି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବ।
42ଆଉ, ସେମାନେ ଅନ୍ୟ ପ୍ରସ୍ତର ନେଇ ସେହି ପ୍ରସ୍ତର ସ୍ଥାନରେ ବସାଇବେ ଓ ଅନ୍ୟ ଲେପ ନେଇ ଗୃହ ଲେପନ କରିବେ।
43ଆଉ, ସେହି ପ୍ରସ୍ତର ବଦଳ କଲା ଉତ୍ତାରେ ଓ ଗୃହ ଚାଞ୍ଛିଲା ଉତ୍ତାରେ ଓ ଲେପନ କଲା ଉତ୍ତାରେ ଯେବେ ସେହି ଦାଗ ପୁନର୍ବାର ଗୃହରେ ଫୁଟି ବାହାରେ,
44ତେବେ ଯାଜକ ଆସି ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହରେ ବୃଦ୍ଧି ପାଇଥାଏ, ତେବେ ସେହି ଗୃହରେ କ୍ଷୟ କୁଷ୍ଠରୋଗ ଅଛି; ତାହା ଅଶୁଚି ଅଟେ।
45ତହିଁରେ ସେ ସେହି ଗୃହ ଭାଙ୍ଗି ପକାଇବ, ତହିଁର ପ୍ରସ୍ତର ଓ କାଷ୍ଠ ଓ ଧୂଳିସବୁ ନଗରର ବାହାରେ ଅଶୁଚି ସ୍ଥାନକୁ ବୋହି ନେଇଯିବ।
46ଆହୁରି, ସେହି ଗୃହ ବନ୍ଦ ହୋଇଥିବା ସମୟରେ ଯେକେହି ତହିଁ ଭିତରକୁ ଯାଏ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହୋଇ ରହିବ।
47ପୁଣି, ଯେ ସେହି ଗୃହରେ ଶୟନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସେହି ଘରେ ଯେ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ।
48ଆଉ, ଯାଜକ ଆସି ଦେଖନ୍ତେ, ଯଦି, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଅଦୃଶ୍ୟ ହୋଇଅଛି।
49ତହୁଁ ସେ ସେହି ଗୃହକୁ ଶୁଚି କରିବା ପାଇଁ ଦୁଇ ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବ;
50ପୁଣି, ମୃତ୍ତିକା ପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକୁ ବଧ କରିବ;
51ତହୁଁ ସେ ସେହି ଏରସ କାଠ, ଏସୋବ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଜୀଅନ୍ତା ପକ୍ଷୀକୁ ନେଇ ହତ ପକ୍ଷୀର ରକ୍ତରେ ଓ ସେହି ସ୍ରୋତଜଳରେ ଡୁବାଇବ ଓ ସେହି ଗୃହରେ ସାତ ଥର ଛିଞ୍ଚିବ।
52ଏହି ପ୍ରକାରେ ପକ୍ଷୀର ରକ୍ତ ଦ୍ୱାରା, ସ୍ରୋତଜଳ ଦ୍ୱାରା, ଜୀଅନ୍ତା ପକ୍ଷୀ ଦ୍ୱାରା, ଏରସ କାଠ ଦ୍ୱାରା, ଏସୋବ ଦ୍ୱାରା ଓ ସିନ୍ଦୂର ବର୍ଣ୍ଣ (ଲୋମ) ଦ୍ୱାରା ସେହି ଗୃହକୁ ଶୁଚି କରିବ।
53ମାତ୍ର ସେ ଜୀଅନ୍ତା ପକ୍ଷୀକୁ ନଗରର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ; ଏହିରୂପେ ସେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ତାହା ଶୁଚି ହେବ।
54କୁଷ୍ଠରୋଗର ସର୍ବପ୍ରକାର ଘାଆ ଓ ଛଉର ଏହି ବ୍ୟବସ୍ଥା;
55ପୁଣି, ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠରୋଗ;
56ଆଉ, ଫୁଲା ଓ ପାମା ଓ ଚିକ୍କଣ ଚିହ୍ନ,
57ଏହି ସବୁ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି, ଏହା ଜଣାଇବା ନିମନ୍ତେ କୁଷ୍ଠରୋଗର ଏହି ବ୍ୟବସ୍ଥା।”

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:22-57ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:22-57