Text copied!
CopyCompare
ଓଡିଆ ବାଇବେଲ - ମାର୍କ - ମାର୍କ 9

ମାର୍କ 9:19-41

Help us?
Click on verse(s) to share them!
19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି ? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି ? ତାହାକୁ ମୋ' ପାଖକୁ ଆଣ ।
20ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ । ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂଇଁରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା ।
21ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି ? ସେ କହିଲା, ପିଲାକାଳରୁ;
22ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରି ପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ ।
23ସେଥିରେ ଯୀଶୁ ତାହାକୁ କହିଲେ, କ'ଣ କହିଲ ? ଯଦି କରି ପାରନ୍ତି ! ଯିଏ ବିଶ୍ୱାସ କରେ, ତା' ପକ୍ଷରେ ସମସ୍ତ ସମ୍ଭବ ।
24ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ ।
25ପରେ ଲୋକସମୂହ ଏକତ୍ର ଦୌଡ଼ିଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ ।
26ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା ।
27କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା ।
28ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ ?
29ସେ ସେମାନଙ୍କୁ କହିଲେ, ପ୍ରାର୍ଥନା ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ ।
30ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା;
31କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ ।
32କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଏବଂ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ ।
33ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ ?
34କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ ।
35ସେଥିରେ ଯୀଶୁ ଉପବେଶ ନ କରିବାର ଜଣଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ ।
36ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ,
37ଯେ କେହି ମୋ' ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।
38ଯୋହନ ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭମାନଙ୍କ ଦଳରେ ନ ଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ଦଳରେ ନ ଥିବାରୁ ତାହାକୁ ମନା କଲୁ ।
39କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋ' ନାମରେ ମହତର କାର୍ଯ୍ୟ କରି ହଠାତ୍ ମୋହର ନିନ୍ଦା କରି ପାରିବ, ଏପରି ଲୋକ କେହି ନାହିଁ;
40କାରଣ ଯେ ଆମ୍ଭମାନଙ୍କ ବିପକ୍ଷ ନୁହେଁ, ସେ ଆମ୍ଭମାନଙ୍କର ସପକ୍ଷ ।
41ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।

Read ମାର୍କ 9ମାର୍କ 9
Compare ମାର୍କ 9:19-41ମାର୍କ 9:19-41